କମଲନାଥ ସରକାରଙ୍କ ଭଳି ସଙ୍କଟରେ ମମତା ସରକାର : ବିଜେପି ସହ ସମ୍ପର୍କରେ ଟିଏମସି ନେତା

Published By : Prameya-News7 Bureau | March 13, 2020 IST

କୋଲକାତା ୧୩/୦୩ : ବହୁ ସମୟ ଧରି କଂଗ୍ରେସ ସହ ଜଡିତ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ବିଜେପିରେ ସାମିଲ ହୋଇଛନ୍ତି | ଯେଉଁଥିପାଇଁ ମଧ୍ୟପ୍ରଦେଶରେ କମଲନାଥ ସରକାର ସଙ୍କଟରେ ପଡି ଯାଇଛନ୍ତି | ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ସହ ଦଳର ଅନ୍ୟ ୨୨ ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି | ବର୍ତମାନ ପଶ୍ଚିମବଙ୍ଗ ରାଜନୀତିରେ ମଧ୍ୟ ଏହିଭଳି ଝଡ ସୃଷ୍ଟି ହେବାର ଆଶଙ୍କା କରାଯାଉଛି | ମାର୍ଚ୍ଚ ୨ ତାରିଖରେ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ପ୍ରଶାନ୍ତ କିଶୋରଙ୍କ ଏକ ବୈଠକ ବସିଥିଲା | ଏହି ବୈଠକରେ ତୃଣମୂଳ କଂଗ୍ରେସର ଅନେକ ନେତା ଜଗା ଦେଇଥିଲେ |

ଦଳରୁ ମିଳିଥିବା ସୂଚନା ଅନୁଯାୟୀ, ଟିଏମସିର ସମସ୍ତ ନେତା ଏହି ବୈଠକରେ ଯୋଗ ଦେଇନଥିଲେ | ତେବେ କିଛି ନେତା ନିଜର କୌଣସି ବାସ୍ତବିକ କାରଣ ଯୋଗୁଁ ବୈଠକରେ ସାମିଲ ହୋଇପାରିନଥିଲେ | ଟିଏମସିର ଜଣେ ନେତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କହିଥିଲେ ଯେ, ସେ ତାଙ୍କ ଛଡା ଅନ୍ୟ କେଉଁ ନେତାଙ୍କ ଆଦେଶ ମାନିବେ ନାହିଁ | ଏହା ମଧ୍ୟରେ ବିଜେପି ନେତା ଅନୁପମ ହାଜରା ଟ୍ୱିଟ କରି କହିଛନ୍ତି ଯେ, ବର୍ତ୍ତମାନ ମଧ୍ୟପ୍ରଦେଶ ରାଜନୀତିର ଯାହା ଅବସ୍ଥା ହୋଇଛି ତାହା ପଶ୍ଚିମବଙ୍ଗ ରାଜନୀତିରେ ମଧ୍ୟ ହେବାକୁ ଯାଉଛି |   

ହାଜରା କହିଛନ୍ତି ଯେ, ଶୁଣିବାକୁ ମିଳିଛି ଯେ, କଂଗ୍ରେସ ସିନ୍ଧିଆଙ୍କ ସହ ରାଜନୈତିକ ସମ୍ପର୍କ ସୁଧାରିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ସଫଳ ହୋଇନଥିଲା ଏବଂ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିଲେ | ବର୍ତ୍ତମାନ ମମତା ବାନାର୍ଜୀ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସମ୍ପର୍କ କରୁଛନ୍ତି ନା ନାହିଁ ତାହା ଦେଖିବା ବାକି ରହିଲା ବୋଲି କହିଛନ୍ତି ହାଜରା |

ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବା ପ୍ରଶ୍ନ ଉପରେ ବିଜେପି ରାଜ୍ୟ ଅଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି ଯେ, ବର୍ତ୍ତମାନ ବିଜେପିରେ ସାମିଲ ହେବାର ମୌସମ ଚାଲିଛି | ଯଦି ଅନ୍ୟ କେଉଁ ଦଳର ନେତା ବିଜେପିରେ ସାମିଲ ହେବାକୁ ଇଛୁକ ତାହେଲେ ଦଳ ତାଙ୍କୁ ସ୍ୱାଗତ କରିବ | ବିଜେପି ସାଂସଦ ସୁକାନ୍ତ ମଜୁମଦାର କହିଛନ୍ତି ଯେ, କିଛି ଟିଏମସି ନେତା ବିଜେପି ସମ୍ପର୍କରେ ରହିଛନ୍ତି | ସେ କହିଛନ୍ତି, ଗତ ୬ ବର୍ଷ ହେଲା ସେ ଶୁଣି ଆସୁଛନ୍ତି ଯେ ଯେବେ ବି ଟିଏମସି ନେତା କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେତେବେଳେ ସେ ବିଜେପି ସାମିଲ ହେବା କଥା ସାମ୍ନାକୁ ଆସେ | ଯଦି କୌଣସି ନେତା ବିଜେପି ରେ ସାମିଲ ହେବା ପାଇଁ ଚାହୁଁଛନ୍ତି ତାହେଲେ ଦଳ ତାଙ୍କୁ ସ୍ୱାଗତ କରିବ ବୋଲି ସେ କହିଛନ୍ତି | ଗତବର୍ଷ ମଧ୍ୟ ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ନେତା ମମତା ବାନାର୍ଜୀଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ | ସେତେବେଳେ ମମତା ୪୨ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲେ ବୋଲି କହିଛନ୍ତି ମଜୁମଦାର | 

ସେତେବେଳେ ୧୮ ଜଣ ନୂଆ ପ୍ରାର୍ଥୀଙ୍କୁ ଦଳରେ ସାମିଲ କରିବା ପାଇଁ ମମତା ୧୦ ଜଣ ତତ୍କାଳୀନ ସାଂସଦଙ୍କୁ ତାଲିକାରୁ ହଟାଇ ଦେଇଥିଲେ | ଯାହାଫଳରେ ଅନେକ ନେତା ବିଜେପିରେ ସାମିଲ ହେବେ ବୋଲି ଶୁଣିବାକୁ ମିଳିଥିଲା | ମମତା ପୂର୍ବରୁ ମଧ୍ୟ ଦଳର ନେତାମାନଙ୍କୁ ବିଜେପି କିମ୍ବା ବାମପନ୍ଥୀ ଦଳ ସହ କୌଣସି ସମ୍ପର୍କ ଥିବା ଶୁଣି ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନକୁ ନେଇ ଚେତାବନୀ ଦେଇଛନ୍ତି ବୋଲି କହିଛନ୍ତି ମଜୁମଦାର | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.