ମମତା ଓ ବିଜେପି ବିବାଦକୁ ନେଇ ସଙ୍କଟରେ ଡାକ ବିଭାଗ, ପ୍ରତ୍ୟହ କାଲିଘାଟ ପୋଷ୍ଟ ଅଫିସକୁ ଆସୁଛି ଗଦାଗଦା ପୋଷ୍ଟକାର୍ଡ
7/06/2019 at 7:02 PM

କୋଲକାତା ୭।୬: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ମଧ୍ୟରେ ଉପୁଜିଥିବା ବିବାଦ ଏବେ ଡାକ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ମମତାଙ୍କ ନାମରେ ଗଦାଗଦା ପୋଷ୍ଟକାର୍ଡ ଆସୁଥିବା ବେଳେ ତାଙ୍କ ଘର ପାଖ ଡାକଘର ଏବେ ପୋଷ୍ଟକାର୍ଡରେ ଭରିଗଲାଣି।

ଦକ୍ଷିଣ କୋଲକାତାର କାଲିଘାଟ ଡାକଘର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର। ମମତା ଯେବେଠାରୁ ମୁଖ୍ୟମନ୍ତ୍ରୀ ହେଲେଣି ସେବେଠାରୁ ମୁଖ୍ୟମନ୍ତ୍ରୀଙ୍କ ଡାକ ନବା ଆଣିବା ପାଇଁ ଡାକ ବିଭାଗ ଜଣେ ଡାକ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ଦୈନିକ ଆସୁଥିବା ଚିଠିପତ୍ର ଡାକ କର୍ମଚାରୀ ମମତାଙ୍କ ଘରେ ଦେଇଆସୁଥିବେ ବେଳେ ଏବେ ଆସୁଥିବା ପୋଷ୍ଟକାର୍ଡ ଡାକ କର୍ମଚାରୀଙ୍କ କାମ ବଢାଇ ଦେଇଛି। ସବୁଦିନ ମମତାଙ୍କ ଠିକଣାରେ ଆସିଥିବା ହଜାର ହଜାର ପୋଷ୍ଟକାର୍ଡ ସଟିଂ କରି କର୍ମଚାରୀ ତାଙ୍କ ଘରକୁ ବୋହି ବୋହି ଥକିପଡିଲେଣି।

ନିକଟରେ ମମତା ଜୟ ଶ୍ରୀରାମ ଧ୍ବନୀକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଥି ପାଇଁ ଏଭଳି ଧ୍ବନୀ ଦେଇଥିବା ବିଜେପି କର୍ମୀମାନଙ୍କୁ ପୋଲିସ ଗିରଫ କରିଥିଲା। ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ମମତାଙ୍କ ଠିକଣାରେ ସାରା ଦେଶରୁ ‘ଜୟ ଶ୍ରୀ ରାମ’ ଲେଖାଥାଇ ପ୍ରତ୍ୟହ ହଜାର ହଜାର ପୋଷ୍ଟକାର୍ଡ ପହଞ୍ଚୁଛି। ତେବେ ବିବାଦ କେବଳ ଏତିକିରେ ଥମି ଯାଇନି। ମମତାଙ୍କ ପାଖକୁ ଆସୁଥିବା ‘ଜୟ ଶ୍ରୀରାମ’ ପୋଷ୍ଟକାର୍ଡ ଜବାବରେ ମମତାଙ୍କ ସମର୍ଥକମାନେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟର ପ୍ରତ୍ୟେକ ଡାକଘରୁ ଏବେ ଦୈନିକ ହଜାର ହଜାର ପୋଷ୍ଟକାର୍ଡରେ ଲୋକେ ‘ଜୟ ହୀନ୍ଦ’ ଓ ‘ଜୟ ବାଂଲା’ ଲେଖି ମୋଦିଙ୍କ ଠିକଣାରେ ପୋଷ୍ଟ କରୁଛନ୍ତି। ବିଜେପି ହେଉ କି ତୃଣମୂଳ ଉଭୟ ଦଳର ବିବାଦରେ ଏବେ ପେଶି ହୋଇଯାଇଛି ଡାକ ବିଭାଗ।