ଅମ୍ବାନୀଙ୍କ ବିବାହରେ ଯୋଗଦେବା ପୂର୍ବରୁ ମୁମ୍ବାଇରେ ଶରଦ ପାୱାର, ଉଦ୍ଧବ ଠାକରେ ଓ ଅଖିଳେଶ ଯାଦବଙ୍କୁ ଭେଟିବେ ମମତା

Published By : Prameya-News7 Bureau | July 11, 2024 IST

କୋଲକାତା ୧୧।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଶୁକ୍ରବାର ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗ ଦେବା ପୂର୍ବରୁ ମୁମ୍ବାଇରେ ଏନସିପି ନେତା ଶରଦ ପାୱାର, ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ଓ ସପା ନେତା ଅଖିଳେଶ ଯାଦବଙ୍କୁ ଭେଟିବେ। ଲୋକସଭା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟ ସହ  ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟଙ୍କ ଏହା ପ୍ରଥମ ସାକ୍ଷାତ ଆଲୋଚନା ହେବ। 

ମୁମ୍ବାଇ ଗସ୍ତ ପୂର୍ବରୁ ଗୁରୁବାର କୋଲକାତାରେ ଗଣମାଧ୍ୟମ ସହ ଆଲୋଚନାରେ ମମତା କହିଛନ୍ତି ଯେ ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ମୁକେଶ ଜୀ ଓ ନିତା ଜୀ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଖାସ ଏଥି ପାଇଁ ସେ ମୁମ୍ବାଇ ଯାଉଥିବା କହିଥିବା ବେଳେ ଏହି ଅବସରରେ ଉଦ୍ଧବ ଠାକରେଙ୍କୁ ଭେଟିବେ ବୋଲି କହିଛନ୍ତି। ଏହା ଛଡା ସେ ଶରଦ ପାୱାରଙ୍କ ଘରକୁ ଯାଇ ତାଙ୍କୁ ଭେଟିବେ ବୋଲି ମଧ୍ୟ କହିଛନ୍ତି। ଅନନ୍ତ ଓ ରାଧିକାଙ୍କ ବିବାହକୁ ଅଖିଳେଶ ଯାଦବ ନିଶ୍ଚିତ ଆସିବେ, ଏଣୁ ସେଠାରେ ତାଙ୍କ ସହ ମୋର ଭେଟ ହୋଇଯିବ ବୋଲି ମମତା କହିଥିବା ବେଳେ   ତାଙ୍କର ଏହି ସାକ୍ଷାତ ଆଲୋଚନା ଅଖିଳେଶଙ୍କ ଆଗମନ ସମୟ ଉପରେ ନିର୍ଭର କରେ ବୋଲି କହିଛନ୍ତି। 

ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଇଣ୍ଡିଆ ବ୍ଲକ୍ ନେତାମାନଙ୍କ ସହ ମମତାଙ୍କ ଏହା ପ୍ରଥମ ସାକ୍ଷାତ ଆଲୋଚନା ହେବ। ଏହା ପରେ ମମତା  ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେଇ ଶନିବାର କୋଲକାତା ଫେରି ଆସିବେ। ତେବେ ଗଣମାଧ୍ୟମ ସହ ଆଲୋଚନାରେ ମମତା ବୁଧବାର ଅନୁଷ୍ଠିତ ହୋଇଥିବା ବିଧାନସଭା ଉପନିର୍ବାଚନ ପୂର୍ବରୁ ଏକ ଭାଇରାଲ ଭିଡିଓ ପାଇଁ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଓ ଏକ ଗଣମାଧ୍ୟମ ବର୍ଗକୁ ସମାଲୋଚନା କରିଛନ୍ତି। କହିଛନ୍ତି ଏହି ଭିଡିଓ ବେଶ ପୁରୁଣା ଓ ଉପନିର୍ବାଚନରେ ଟିଏମସି ଭୋଟ ବିଗାଡିବା ପାଇଁ ମାଲବ୍ୟ ଓ କିଛି ଗଣମାଧ୍ୟମ ଏହି ଷଡ଼ଯନ୍ତ୍ର କରିଥିଲେ। 

ନିର୍ବାଚନର ୭୨ ଘଣ୍ଟା ପୂର୍ବରୁ ଏହି ଭିଡିଓ ଭାଇରାଲ କରାଯାଇଥିଲା ଓ କିଛି ଟେଲିଭିଜନ ଚାନେଲ ଏହାକୁ ପ୍ରସଙ୍ଗ କରି ଲଗାତାର ପ୍ରସାରଣ କରୁଥିଲେ। ତେବେ ୨୦୨୧ ମସିହାର ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇଥିଲେ ଓ ସେମାନେ ଏବେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.