‘ଯେପରି ମୁଁ ତାଙ୍କ ଚାକର’, ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରକୁ ନେଇ ବର୍ଷିଲେ ମମତା ବାନାର୍ଜୀ

Published By : Prameya-News7 Bureau | September 08, 2022 IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କେନ୍ଦ୍ର ସରକାର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଗୁରୁବାର ଦିଲ୍ଲୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ମମତା ବାନାର୍ଜୀ କହିଛନ୍ତି । ସଠିକ ଭାବେ ନିମନ୍ତ୍ରଣ କରାଯାଇ ନଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କାର୍ଯ୍ୟକ୍ରମ ବାବଦରେ ବୁଧବାର ସଂଧ୍ୟାରେ ଜଣେ ଅଧିକାରୀ ଚିଠି ପଠାଇଥିଲେ। କୋଲକାତାର ଏକ ରାଲିରେ ମମତା କହିଛନ୍ତି, 'ଗତକାଲି ସଂଧାରେ ଜଣେ ଅଣ୍ଡର ସେକ୍ରେଟାରୀଙ୍କ ଚିଠି ଆସିଥଲା। ଏଥିରେ କୁହାଯାଇଥିଲା ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ସଂଧ୍ୟା ୬ଟାରେ ଆପଣଙ୍କୁ ଏଠାରେ ଉପସ୍ଥିତ ରହିବାକୁ ପଡିବ। ସତେ ଯେପରି ମୁଁ ତାଙ୍କର ଚାକର। କିପରି ଜଣେ ଅଣ୍ଡର ସେକ୍ରେଟାରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପାରିବ ? ସଂସ୍କୃତି ମନ୍ତ୍ରୀ କାହିକିଁ ଏତେ ବଡ଼ ହୋଇଯାଉଛନ୍ତି?'

ଏହି କାରଣରୁ ଆଜି ଅପରାହ୍ଣରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ସମ୍ମାନ ଜଣାଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂଧ୍ୟାରେ ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.