ରାମ ନବମୀରେ ମମତାଙ୍କ ବଡ଼ ଅଭିଯୋଗ; ଦଙ୍ଗା ସୃଷ୍ଟି ପାଇଁ ହେଉଛି ଷଡ଼ଯନ୍ତ୍ର, ଜବାବ ରଖିଲା ବିଜେପି

Published By : Prameya-News7 Bureau | April 17, 2024 IST

indiatoday

କୋଲାକାତା: ରାମ ନବମୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ। ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ଅଭିଯୋଗ ଆଣିଲେ ମମତା। ଗତବର୍ଷ ରାମ ନବମୀରେ ହିଂସାକାଣ୍ଡ ହୋଇଥିଲା। ଏଥିରେ ଉଭୟ ବିଜେପି ଓ ଟିଏମ୍‌ସି ମୁହାଁମୁହିଁ ହୋଇଥିଲେ। ଏଥର ମଧ୍ୟ ଦଙ୍ଗା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ମମତା କହିଛନ୍ତି। 

ସେ କହିଛନ୍ତି “ ସେମାନେ ଆଜି ଦଙ୍ଗା କରିବେ। ଦଙ୍ଗା ସୃଷ୍ଟି ହେବାର ଆଶଙ୍କା ରହିଛି। ସେମାନେ ଏହି ଦଙ୍ଗା ଓ ଭୋଟ ଲୁଟ କରି ନିର୍ବାଚନ ଜିତିବେ।” ଏହା ପୂର୍ବରୁ ରାମନବମୀ ପାଇଁ ମମତା ବାନାର୍ଜୀ ଲୋକଙ୍କୁ ସମ୍ବୋଧନ କରିଛନ୍ତି। ପର୍ବ ପାଳନ ବେଳେ ଶାନ୍ତି କାଏମ ରଖିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରିଛନ୍ତି। 

ଅନ୍ୟପଟେ ମମତା ବାନାର୍ଜୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ମମତା ଭାରତୀୟ ସନାତନ ସଂସ୍କୃତିକୁ ଅପମାନିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଘଟଣାକୁ ନେଇ

ବିଜେପି ରାଜ୍ୟସଭା ସାଂସଦ ତଥା ପ୍ରବକ୍ତା ସୁଧାଂଶୁ ତ୍ରିବେଦି ମମତାଙ୍କୁ ଟାର୍ଗେଟ୍ କରିଛନ୍ତି। 

ସୁଧାଂଶୁ କହିଛନ୍ତି “ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଶାନ୍ତି ପାଇଁ ଅପିଲ୍ କରିଛନ୍ତି। ଏହା ରାମନବମୀ ଭଳି ପର୍ବର ଅପମାନ। ଅନ୍ୟ ଧାର୍ମିକ କାର୍ଯ୍ୟରେ ଆପଣ ଶାନ୍ତି ବାର୍ତ୍ତା ଦିଅନ୍ତି। ହେଲେ ଏଠି ଶାନ୍ତି ପାଇଁ ଆପଣ କହୁଛନ୍ତି। ଏପରି କରି ଆପଣ ଭାରତ ଏବଂ ସନାତନ ସଂସ୍କୃତିକୁ ଅପମାନିତ କରୁଛନ୍ତି।” 

ପଢ଼ନ୍ତୁ-ଟିଏମ୍‌ସିର ନିର୍ବାଚନ ଇସ୍ତାହାର: ସିଏଏ ପ୍ରତ୍ୟାହାର ସହ ୟୁସିସିକୁ ବନ୍ଦ କରିବାକୁ ଶପଥ ନେଲା ଦଳ

ରାମ ନବମୀ ପାଇଁ ଉଭୟ ବିଜେପି ଓ ଟିଏମ୍‌ସି ମୁହାଁମୁହିଁ ହୋଇଥିବା ବେଳେ ଉଭୟ ଦଳର ନେତା ସାରା ରାଜ୍ୟରେ ପ୍ରୋସେସନ୍‌ରେ ଯୋଗ ଦେଇଛନ୍ତି। ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ନୂଆ ଟାଉନ୍ ଏରିଆ ପ୍ରୋସେସନ୍‌ରେ ଯୋଗ ଦେଇଥିବା ବେଳେ ଟିଏମ୍‌ସି ମନ୍ତ୍ରୀ ଅରୁପ ରୟ ଏବଂ ଟିଏମ୍‌ସି ହାୱଡ଼ା ସାଂସଦ ପ୍ରାର୍ଥୀ ପ୍ରସୁନ ବାନାର୍ଜୀ  ହାଓଡା ଟାୱନ୍ ପ୍ରୋସେସନ୍‌ରେ ଯୋଗ ଦେଇଛନ୍ତି। 

ରାମ ନବମୀ ପାଇଁ ରାଜ୍ୟସାରା ଶତାଧିକ ପ୍ରୋସେସନ୍ ଆୟୋଜିତ ହୋଇଛି। ବହୁ ସଂଖ୍ୟାରେ ଲୋକ ରାମ ନବମୀରେ ଯୋଗ ଦେଇଛନ୍ତି। ଜୟ ଶ୍ରୀ ରାମ ନାରା ଦେବା ସହ ଗେରୁଆ ପତାକା ଓ ଢୋଲ ମାଦଳ ତାଳ ଓ ସହ ବୀରତା ପ୍ରମାଣ ହିସାବରେ ତରବାରୀ ପ୍ରଦର୍ଶନ ମଧ୍ୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.