‘ଇଣ୍ଡି’ ମେଣ୍ଟକୁ ନେଇ ନରମିଲା ଟିଏମସି; ବାହାରୁ ସମର୍ଥନ କରିବାକୁ ମମତାଙ୍କ ଘୋଷଣା

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ବେଳେ ରୋଚକ ହେଉଛି ଜାତୀୟ ରାଜନୀତି । ‘ଇଣ୍ଡି’ ମେଣ୍ଟରେ ସିଟ୍ ଅସହମତି ପରେ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନରମିଛନ୍ତି । ନିର୍ବାଚନୀ ପ୍ରଚାର ସଭାରେ ସେ ବଡ଼ ଘୋଷଣା କରିଛନ୍ତି । ଇଣ୍ଡିଆ ବ୍ଲକ୍‌ ସରକାର ଗଠନ କଲେ ତୃଣମୂଳ କଂଗ୍ରେସ ତାଙ୍କୁ ବାହାରୁ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । 

କିଛି ଦିନ ପୂର୍ବରୁ ‘ଇଣ୍ଡି’ ମେଣ୍ଟ ସହିତ ପଶ୍ଚିମବଙ୍ଗରେ କୌଣସି ଗଠବନ୍ଧନ ହେବ ନାହିଁ ବୋଲି ଘୋଷଣା କରିଥିଲେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ । ହେଲେ ଦିଦି ଏବେ ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି । ସେ କହିଛନ୍ତି, ଆମେ ‘ଇଣ୍ଡିଆ’କୁ ନେତୃତ୍ବ ପ୍ରଦାନ କରିବୁ ଏବଂ ବାହାରୁ ସବୁ ପ୍ରକାର ସମର୍ଥନ କରିବୁ । ଏପରି ଏକ ସରକାର ଗଠନ କରିବୁ ଯିଏ ପଶ୍ଚିମବଙ୍ଗ ଲୋକଙ୍କ ସମସ୍ୟା ସମାଧାନ କରିବ  ଏବଂ ଶହେ ଦିନିଆ ଶ୍ରମ ଯୋଜନାରେ ସାମିଲ୍ ହେଉଥିବା ଲୋକେ ଯେପରି କୌଣସି ଅସୁବିଧାରେ ନପଡ଼ିବେ ତାହା ସୁନିଶ୍ଚିତ କରିବ । 

ଅନ୍ୟପଟେ ଚିଳତ ନିର୍ବାଚନର ଫଳାଫଳକୁ ନେଇ ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି, ବିଜେପି ପ୍ରଥମ ୪ଟି ଯାକ ପର୍ଯ୍ୟାୟରେ ନିର୍ବାଚନ ହାରିବ । ସେହିପରି ବାକି ଥିବା ଆଉ ୩ ପର୍ଯ୍ୟାୟରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସମ୍ଭାବନା କମ୍ ।  ଦିଲ୍ଲୀରେ ‘ଇଣ୍ଡି’ ମେଣ୍ଟକୁ ଟିଏମସି ବାହାରୁ ସମର୍ଥନ ଦେବ । ଏହା ସହିତ ସେ କହିଛନ୍ତି, ପଶ୍ଚିମବଙ୍ଗରେ କଂଗ୍ରେସ ଓ ସିପିଏମ୍ ପରୋକ୍ଷ ଭାବେ ବିଜେପିକୁ ସମର୍ଥନ କରୁଛନ୍ତି । ମାତ୍ର ଦିଲ୍ଲୀ କଥା ଉଠିଲେ ତୃଣମୂଳ କଂଗ୍ରେସ ‘ଇଣ୍ଡି’ ମେଣ୍ଟକୁ ସମର୍ଥନ କରିବ । ଏହା ସହିତ ବିଜେପିର ୪୦୦ ପାର୍ ଲକ୍ଷ୍ୟ ଆଶାରେ ରହିଯିବ ବୋଲି ମମତା ବାନାର୍ଜୀ କହିଛନ୍ତି । 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.