ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ବୋଲି ଜାଣିଥିଲେ ଆମେ ବି ରାଜି ହୋଇଥାନ୍ତୁ, ହେଲେ ବିଜେପି ପୂର୍ବରୁ ସୂଚନା ଦେଲାନି: ମମତା ବାନାର୍ଜୀ

Published By : Prameya-News7 Bureau | July 01, 2022 IST

କୋଲକାତା: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଧୀରେ ଧୀରେ ନରମୁଥିବା ଦେଖିବାକୁ ମିଳୁଛି। ବିରୋଧୀ ପକ୍ଷରୁ ନେତୃତ୍ୱ ନେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଦ୍ ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ଏନେଇ ସେ କହିଛନ୍ତି ଯଦି ଏନ୍‌ଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି ବୋଲି ପୂର୍ବରୁ ସୂଚନା ଦେଇଥାନ୍ତା ତେବେ ଆମେ ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ କରିଥାନ୍ତୁ। ସର୍ବ ସମ୍ମତିକ୍ରମେ ସେ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତେ ବୋଲି ମମତା କହିଛନ୍ତି। ଏଥିସହିତ ନିର୍ବାଚନରେ ଦ୍ରୌପଦୀଙ୍କର ବିଜୟ ସମ୍ଭାବନା ଅଧିକ ରହିଛି ବୋଲି ମମତା ସ୍ୱୀକାର କରିଛନ୍ତି।

ସେ କହିଛନ୍ତି “ ବିଜେପି ଆମ ପରାମର୍ଶ ନେଇଥିଲେ ବି ପ୍ରାର୍ଥୀଙ୍କ ବିଷୟରେ କୌଣସି ସୂଚନା ଦେଇନଥିଲା। ଯଦି ଆମେ ପୂର୍ବରୁ ଜାଣିଥାନ୍ତି କି ସେମାନେ ଆଦିବାସୀ ମହିଳା କିମ୍ବା କୌଣସି ସଂଖ୍ୟା ଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରୁଛନ୍ତି ତେବେ ଆମେ ଏ ବିଷୟରେ କିଛି ବିଚାର କରିପାରିଥାନ୍ତୁ। ଆମ ମନରେ ଆଦିବାସୀ ଲୋକଙ୍କ ପ୍ରତି ବହୁତ ସମ୍ମାନ ରହିଛି। ତା ଛଡ଼ା ସେ ତ ଜଣେ ମହିଳା ମଧ୍ୟ।”

ତେବେ ନିଜ ଦଳର ଆଭିମୁଖ୍ୟକୁ ନେଇ ମମତା କହିଛନ୍ତି ଯେ ଆମର ୧୬-୧୭ ପାର୍ଟି ମିଶି ମେଣ୍ଟ କରୁଛୁ। ତେଣୁ ଏକଲା ମୁଁ ପଛକୁ ହଟିପାରିବି ନାହିଁ ବୋଲି ମମତା କହିବା ପରେ କଂଗ୍ରେସର ପ୍ରତିକ୍ରିୟା ଆସିଛି। ବିଜେପି ଚାପରେ ଦିଦି ପ୍ରଭାବିତ ହୋଇଥାଇପାରନ୍ତି ବୋଲି କଂଗ୍ରେସ କହିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି “ ମମତା ବାନାର୍ଜୀ ହିଁ ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ସହମତି ଦେବାକୁ କହିଥିଲେ। ଏବେ ସେ ନିଜର ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରୁଛନ୍ତି।” ମମତା ଏବେ ୟୁଟର୍ଣ୍ଣ ନେବା ସୂଚାଉଛି ଯେ ବିଜେପି ତାଙ୍କୁ କଲ୍ କରିଛି। ପ୍ରଧାନମନ୍ତ୍ରୀଙ୍କର ଚାପ ମମତା ଉପରେ ପଡ଼ିଛି। କାରଣ ମୋଦୀଙ୍କ ସହ ମମତାଙ୍କର ସମ୍ପର୍କ ଭଲ ରହିଛି। ତେବେ ଆମ କିନ୍ତୁ ବିଜେପିର ମୁକାବିଲା କରିବା ସୈଦ୍ଧାନ୍ତିକ ଲଢ଼େଇ ବୋଲି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.