ନା ସାଂସଦ, ନା ବିଧାୟକ…ଟିଏମସିର ସଂସଦୀୟ ଦଳ ନେତା ହେଲେ ମମତା ବାନାର୍ଜୀ

Published By : Prameya-News7 Bureau | July 23, 2021 IST

କୋଲକାତା ୨୩/୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଂସଦ ନୁହଁନ୍ତି। ନିକଟରେ ହୋଇଥବା ବେଙ୍ଗଲ ବିଧାନସଭା ନିର୍ବାଚନରେ ଟିଏମସିର ବିଶାଳ ବିଜୟ ସତ୍ବେ ନନ୍ଦୀଗ୍ରାମରୁ ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ହାରିଥିଲେ ମମତା। ତଥାପି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କୁ ୬ ମାସ ଭିତରେ କୌଣସି ଏକ ବିଧାନସଭା ସିଟ୍‌ରୁ ନିର୍ବାଚନ ଜିତିବାକୁ ହେବ । ଏହାରି ଭିତରେ ଦିଲ୍ଲୀରେ ଟିଏମସି ସାଂସଦମାନେ ମମତା ବାନାର୍ଜୀଙ୍କୁ ଦଳର ସଂସଦୀୟ ଦଳର ଅଧ୍ୟକ୍ଷ କରିବାକୁ ନେଇ ପ୍ରସ୍ତାବ ପାରିତ କରିଛନ୍ତି ।

ଲୋକସଭାରେ ଟିଏମସି ସଂସଦୀୟ ଦଳ ନେତା ସୁଦୀପ ବାନାର୍ଜୀ ଏବଂ ରାଜ୍ୟସଭାରେ ଟିଏମସି ସଂସଦୀୟ ଦଳ ନେତା ଡେରେକ୍‌ ଓବ୍ରାଏନ ସଂସଦୀୟ ଦଳ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ। ଡେରେକ ଓବ୍ରାଏନ୍‌ ନୂଆଦିଲ୍ଲୀରେ ଏକ ସାମ୍ବଦିକ ସମ୍ମଳନୀରେ କହିଛନ୍ତି, ‘ସଂକଳ୍ପକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିବା ବେଳେ ଏଥିରେ ସମସ୍ତ ଟିଏମସି ସାଂସଦ ଦସ୍ତଖତ କରିଛନ୍ତି। ସେ ଟିଏମସିର ଚେୟାରପର୍ସନ ଥିଲେ। ତାଙ୍କୁ ସର୍ବସମ୍ମତି କ୍ରମେ ଗୁରୁବାର ଟିଏମସି ସଂସଦୀୟ ଦଳର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି।’

ସେପଟେ ଏହାକୁ ନେଇ ବିଜେପି କଟାକ୍ଷ କରିଛି। ବିଜେପ ଅନୁସାରେ ଏହା ପୂର୍ବରୁ ଧାର୍ଯ୍ୟ ହୋଇଥିଲା । କାରଣ ଟିଏମସି ଏକ ମହିଳା ଦଳ। ପଶ୍ଚିମବଙ୍ଗର ବିଜେପି ପ୍ରବକ୍ତା ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ଏହା ଏକ ସ୍ପଷ୍ଟ ନିର୍ଣ୍ଣୟ । ଟିଏମସି ଏକ ମହିଳା ଦଳ ଏବଂ ସେ ହେଉଛନ୍ତି ମମତା ବାନାର୍ଜୀ।’ ଲୋକସଭାରେ ବିରୋଧୀ ନେତା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ‘କୌଣସି ପାର୍ଟିର ସଂସଦୀୟ ଦଳର ନେତା ଜଣେ ସାଂସଦ ହୋଇଥାନ୍ତି । କିନ୍ତୁ ଯେକୌଣସି ପାର୍ଟି କିଛି ବି କରିପାରିବ। ଏହା ତାଙ୍କର ନିଷ୍ପତ୍ତି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.