ଓଡିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ବୁଧବାର କରିବେ ମହାପ୍ରଭୁଙ୍କୁ ଦର୍ଶନ
22/03/2023 at 7:42 AM

ପୁରୀ ୨୨।୦୩ : ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀ ନିର୍ମାଣ ନିବାସରେ ଅବସ୍ଥାନ କରିଛନ୍ତି। ଆଜି ଅପରାହ୍ନ ୩ଟା ରୁ ୪ଟା ମଧ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମମତା ବାନାର୍ଜୀ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ, ଛତିଶା ନିଯୋଗ ଓ ପରିଚାଳନା କମିଟିର ସେବାୟତ ମାନେ ପୁଷ୍ପଗୁଚ୍ଛ ଓ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିବେ। ସିଂହଦ୍ଵାର ଦେଇ ମମତା ଶ୍ରୀମନ୍ଦିରକୁ ପ୍ରବେଶ କରିବା ସହ ପ୍ରଥମେ ପତିତପାବନଙ୍କୁ ଦର୍ଶନ କରି ବାଇଶି ପାହାଚ ଦେଇ ଗର୍ଭଗୃହରେ ରତ୍ନସିଂହାସନସ୍ଥ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବେ। ଏହାସହ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିର ମଧ୍ୟ ଦର୍ଶନ କରି ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ବିଶ୍ବର ମଙ୍ଗଳ ଉଦ୍ଦେଶ୍ୟରେ ନୀଳଚକ୍ରରେ ସେ ବାନା ଲାଗି କରିବା ସହ ବାନା ପରିବର୍ତ୍ତନର ଦର୍ଶନ ମଧ୍ୟ କରିବେ। ପରେ ବ୍ରାହ୍ମଣ ଭୋଜନ ସହ ଶ୍ରୀମନ୍ଦିରରେ ମମତା ବାନାର୍ଜୀ ମହାପ୍ରସାଦ ସେବନ କରିବେ। ଦର୍ଶନ ସାରି ଫେରିବା ପରେ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ, ସିରିକପଡା, ମହାପ୍ରସାଦ ଉପହାର ସ୍ବରୂପ ପ୍ରଦାନ କରାଯିବ। ମମତା ବାନାର୍ଜୀଙ୍କ ଶ୍ରୀମନ୍ଦିର ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନ ପୋଲିସ ଫୋର୍ସ, ୩ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପିଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ।