ବିରୋଧି ମେଣ୍ଟକୁ ମମତାଙ୍କ ଝଟକା; ସିଦ୍ଧରମେୟାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 19, 2023 IST

ନୂଆଦିଲ୍ଲୀ ୧୯/୦୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସିଦ୍ଧରମେୟାଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ନାହିଁ। ତାଙ୍କ ସ୍ଥାନରେ ଟିଏମସି ନେତ୍ରୀ ତଥା ଲୋକସଭା ସାଂସଦ କାକୋଳି ଘୋଷ ଦସ୍ତିଦାର ଏହି କାର୍ଯ୍ୟକ୍ରମରେ ଭାଗ ନେବେ। ବେଙ୍ଗାଲୁରୁରେ ମେ ୨୦ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ମମତାଙ୍କୁ କଂଗ୍ରେସ୍‌ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖଡଗେ ନିମନ୍ତ୍ରଣ କରିଥିଲେ। ଏହି ଦିନ ବିରୋଧିମାନେ ସେମାନଙ୍କର ଏକତା ସହ ଶକ୍ତି ପ୍ରଦର୍ଶ କରିବାକୁ ଚେଷ୍ଠା କରିବେ।

ତୃଣମୂଳ କଂଗ୍ରେସ୍‌ ନେତା ଏବଂ ରାଜ୍ୟ ସଭା ସାଂସଦ ଡେରେକ୍‌ ଓ ବ୍ରାୟନ୍‌ ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟର୍‌ରେ କହିଛନ୍ତି ଯେ, ‘’କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସିଦ୍ଧରମେୟା ଓ ତାଙ୍କର ଅନ୍ୟ ସାଥୀମାନେ ମମତା ବାନାର୍ଜୀଙ୍କୁ ଆସନ୍ତାକାଲି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଥିଲେ। ମମତା ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଲୋକ ସଭାରେ ତୃଣ ମୂଳ କଂଗ୍ରେସ୍‌ର ଉପନେତା କୋକିଳା ଘୋଷ ଦସ୍ତିଦାରଙ୍କୁ ଏହି ସମାରୋହରେ ଯୋଗ ଦେବା ପାଇଁ କହିଛନ୍ତି’’।

କିଛିଦିନ ପୂର୍ବରୁ ମମତା ବାନାର୍ଜୀ କହିଥିଲେ ଯେ, ୨୦୨୪ ଲୋକସଭା ନିର୍ବାଚନରେ ଯେଉଁଠି କଂଗ୍ରେସ୍‌ର ସ୍ଥିତି ସୁଦୃଢ଼ ଥିବ ସେହି ଜାଗାରେ ତାଙ୍କ ପାର୍ଟି କଂଗ୍ରେସକୁ ସମର୍ଥନ ଦେବ। ସିଦ୍ଧରମେୟାଙ୍କ ଶପଥ ଗ୍ରହଣ ସମାରୋହରେ ମମତାଙ୍କ ଉପସ୍ଥିତି ବହୁତ ଗୁରୁତପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା। ମମତା ବାନାର୍ଜୀ ନିକଟ ଅତୀତରେ କହିଥିଲେ କଂଗ୍ରେସ୍‌  ଯେଉଁଠି ବି ମଜବୁତ ଅଛି ସେଠାରେ ତାକୁ ଲଢ଼ିବାକୁ ଦିଆଯାଉ। ଆମେ ତାକୁ ସମର୍ଥନ ଦେବୁ, ଏଥିରେ କୌଣସି ଭୁଲ୍‌ ନାହିଁ, କିନ୍ତୁ ତାକୁ ବି ଅନ୍ୟ ରାଜନୈତିକ ଦଳକୁ ସମର୍ଥନ ଦେବାକୁ ହେବ।

ସୂଚନା ଥାଉକି, କର୍ଣ୍ଣାଟକର ବିଧାନସଭା ନିର୍ବାଚନରେ ବିଜେପିକୁ କଂଗ୍ରେସ୍‌ ହରାଇ ଖୁବ୍‌ ସୁନ୍ଦର ବିଜୟ ହାସଲ କରିଛି। ଏହାର କିଛି ସମୟ ପରେ ମମତା ଏପରି ବୟାନ୍‌ ଦେଇଥିଲେ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ୍‌  ୧୩୫ ଆସନ ହାସଲ କରିଥିବା ବେଳେ ବିଜେପି ୬୬ଟି ଆସନ ଏବଂ ଜନତା ଦଳ ସେକ୍ୟୁଲାର୍‌ ୧୯ଟି ଆସନ ହାତେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.