ଟିମ୍ ଇଣ୍ଡିଆ ଅଭ୍ୟାସ ଜର୍ସିକୁ ନେଇ ବିବାଦ; ଗେରୁଆ ରଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ମମତା ବାନାର୍ଜୀ
18/11/2023 at 3:31 PM

କୋଲକାତା: ଟିମ୍ ଇଣ୍ଡିଆ ଅଭ୍ୟାସ ଜର୍ସିକୁ ନେଇ ପ୍ରଶ୍ନ ଉଠାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସବୁକିଛି ଗେରୁଆ ରଙ୍ଗରେ ସଜା ଯାଉଥିବା ସେ କହିଛନ୍ତି । ତାଙ୍କର ଏହି ପ୍ରଶ୍ନ ସିଧା ବିଜେପିକୁ ଟାର୍ଗେଟ୍ କରିଛି । ଭାରତୀୟ ଜନତା ପାର୍ଟି ସବୁ କିଛି ଗେରୁଆ ରଙ୍ଗ କରିବାକୁ ପ୍ରାୟସ କରୁଛି । ଦିଦିଙ୍କ ଏହି ବୟାନର ଜବାବ ରଖିଛି ବିଜେପି । ପାର୍ଟି ପକ୍ଷରୁ କୁହାଯାଇଛି, ମମତା ବାନାର୍ଜୀ କୋଲକାତାକୁ ନୀଳ ଓ ଧଳା ରଙ୍ଗ କରିଦେଇଣି ।
ମଧ୍ୟ-କୋଲକାତାର ପୋସ୍ତା ବଜାରରେ ଜଗଧାତ୍ରୀ ପୂଜା ଉଦଘାଟନ ଅବସରରେ ଏଭଳି କିଛି କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଏବେ ସବୁ କିଛି ଗେରୁଆ ରଙ୍ଗ ହୋଇଯାଉଛି । ମୋତେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ପ୍ରତି ବିଶ୍ବାସ ରହିଛି । ସେମାନେ ବିଶ୍ବ ବିଜେତା ବନିବେ । ମାତ୍ର ଟିମ୍ ଇଣ୍ଡିଆର ଅଭ୍ୟାସ ଜର୍ସି କେବେଠୁ ଗେରୁଆ ହୋଇଗଲାଣି ସେ ବୋଲି ପ୍ରଶ୍ନ କରିଥିଲେ । ପୂର୍ବରୁ ଏହା ନୀଳ ରଙ୍ଗ ଥିଲା । ସେପଟେ ମେଟ୍ରୋ ଷ୍ଟେସନକୁ ମଧ୍ୟ ଗେରୁଆ ରଙ୍ଗ କରିଦିଆଯାଇଛି । ପୂର୍ବରୁ କେବଳ ମାୟାବତୀ ନିଜ ନାଁରେ ମୂର୍ତ୍ତି ନିର୍ମାଣ କରିଥିଲେ, ହେଲେ ଏବେ ରାଜନୈତିକ ଦଳମାନେ ସବୁକିଛି ନିଜ ନାଁରେ ରଖିବାକୁ ଚେଷ୍ଟା କରୁଛନ୍ତି ।
ମମତା ବାନାର୍ଜୀଙ୍କ ଏହି ବୟାନର ପାଲଟା ଜବାବ ରଖିଛି ଭାରତୀୟ ଜନତା ପାର୍ଟି । ବିଜେପି ନେତା ଶିଶିର ବାରୋଜିଆ କହିଛନ୍ତି, ବିଶ୍ବକପ ପାଇଁ ଟିମ୍ ଇଣ୍ଡିଆରେ ତାଙ୍କ ଇଚ୍ଛାକୁ ସ୍ବାଗତ କରୁଛୁ । ଦିଦି କେବଳ ଟିମ୍ ଇଣ୍ଡିଆ ଅଭ୍ୟାସ ଜର୍ସିର ଗେରୁଆ ରଙ୍ଗ କଥା କହୁଛନ୍ତି , ହେଲେ ତ୍ରିରଙ୍ଗାର ସର୍ବୋଚ୍ଚ ସ୍ଥାନରେ ଥିବା କମଳା ରଙ୍ଗ କଥା କହୁନାହାନ୍ତି । ସେପଟେ ବିଜେପି ନେତା ରାହୁଲ ସିହ୍ନା ମଧ୍ୟ ମମତାଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଦିଦି ଆଉ କିଛି ଦିନ ମଧ୍ୟରେ ତ୍ରିରଙ୍ଗାର କମଳା ରଙ୍ଗ ଉପରେ ମଧ୍ୟ ପ୍ରଶ୍ନ ଉଠାଇବେ ।