ଆହତ ମମତାଙ୍କ ଚିକତ୍ସାରେ ଲାଗିଛନ୍ତି ୬ ଜଣିଆ ଡାକ୍ତରୀ ଟିମ୍‌, ପୂରା ଘଟଣାର ରିପୋର୍ଟ ମାଗିଲେ ଇସି

Published By : Prameya-News7 Bureau | March 10, 2021 IST

କୋଲକାତା ୧୦/୦୩: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାର ସମୟରେ ଆହତ ହୋଇଥିବା ମମତା ବାନାର୍ଜୀଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଆଲର୍ଟରେ ଥିବା ହସ୍ପିଟାଲର ୬ ଡାକ୍ତର ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସାରେ ଲାଗିଛନ୍ତି । ଆହତ ମମତା ବାନାର୍ଜୀଙ୍କୁ ହସ୍ପିଟାଲରେ ଭେଟିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ।

ଅନ୍ୟପଟେ ପୂରା ମାମଲାରେ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ(ଇସି)। ମମତା ନନ୍ଦିଗ୍ରାମର ରିୟାପାରା ଅଞ୍ଚଳରେ ଥିବା ଏକ ମନ୍ଦିର ବାହାରେ ଛିଡ଼ା ହୋଇଥିଲେ। ସେତେବେଳେ ତାଙ୍କ ସହ ଏହି ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଛନ୍ତି, ତାଙ୍କୁ ଧକ୍କା ଦେଇ ତଳେ ପକାଯାଇଛି। ଯେଉଁଥିପାଇଁ ତାଙ୍କ ପାଦରେ ଆଘାତ ଲାଗିଛି। ଏହା ସହ ମୁଣ୍ଡ ଏବଂ ହାତରେ ଆଘାତ ଲାଗିଛି ବୋଲି କହିଥି​‌ଲେ ମମତା ବାନାର୍ଜୀ।

ନନ୍ଦିଗ୍ରାମ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ଅଭିଯୋଗ ହେବା ପରେ ନିର୍ବାଚନ ଆୟୋଗ ରାଜ୍ୟ ପୋଲିସକୁ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି। ତେବେ ଘଟଣା ସମୟରେ ସ୍ଥାନୀୟ ପୋଲିସ ନଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଥିଲେ ମମତା। ନନ୍ଦିଗ୍ରାମ ବିଧାନସଭା ସିଟ୍‌ରୁ ଲଢ଼ିବାକୁ ଯାଉଥିବା ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ଆକ୍ରମଣ କରାଯାଇଛି।

ଆକ୍ରମଣ ଅଭିଯୋଗ ଆସିବା ପରେ ପ୍ରଶ୍ନ ଉପୁଜିଛି । କାରଣ ମୁଖ୍ରମନ୍ତ୍ରୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଉଛି। ମମତା ନନ୍ଦିଗ୍ରାମରେ ରାତ୍ରି ବିଶ୍ରାମ କରିଥାନ୍ତେ କିନ୍ତୁ ଚିକିତ୍ସା ପାଇଁ ତାଙ୍କୁ କୋଲକାତା ନିଆଯାଇଛି। ଗତ ଦୁଇ ଦିନ ହେଲା ସେ ପୂର୍ବ ମେଦିନପୁରରେ ନିର୍ବାଚନ ପ୍ରଚାର କରୁଥିଲେ। ବୁଧବାର ହଲଦିଆରେ ​‌ସେ ନାମାଙ୍କନ ଭରିଥିଲେ। ସେପଟେ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଜେପି ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.