ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

Published By : Prameya-News7 Bureau | June 09, 2024 IST

indiatoday

ନୂଆଦିଲ୍ଲୀ: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ ନରେନ୍ଦ୍ର ମୋଦୀ। ଏଥିପାଇଁ ସବୁ ଆୟୋଜନ ସରିଛି। ସମସ୍ତ ନିମନ୍ତ୍ରିତ ଅତିଥି ଦିଲ୍ଲୀ ପହଞ୍ଚି ସାରିଛନ୍ତି। କଂଗ୍ରେସ ପକ୍ଷରୁ ଅପ୍‌ଡେଟ୍ ସୂଚନା ଆସିଛି। କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ମୋଦୀଙ୍କ ଶପଥ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏନେଇ ଖଡ଼ଗେଙ୍କୁ ଗତକାଲି ନିମନ୍ତ୍ରଣ ପତ୍ର ପଠାଯାଇଥିଲା। ସେ ଏହାକୁ ସ୍ୱୀକାର କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। 

ତେବେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା କି ନା ସେ ନେଇ ଇଣ୍ଡିଆ ମେଣ୍ଟର ସହଯୋଗୀଙ୍କ ସହ ଆଲୋଚନା ହୋଇଥିଲା। ସମସ୍ତଙ୍କର ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଟିଏମ୍‌ସି ମୋଦୀଙ୍କ ତୃତୀୟ ପାଳିର ଶପଥ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। 

ଏହାପୂର୍ବରୁ ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ବସିଥିଲା। ଏଥିରେ ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀଦଳର ନେତା ଭାବରେ ନିଯୁକ୍ତ କରିବାକୁ ଏକ ସଂକଳ୍ପ ପାରିତ ହୋଇଥିଲା। ତେବେ ରାହୁଲ ଗାନ୍ଧୀ ଏହି ଦାୟିତ୍ୱ ନେବେ କି ସେ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ। ତେବେ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି।

ସୂଚନା ଥାଉକି,ଆଜି(୯ ଜୁନ ୨୦୨୪) ରାତି ୭.୧୫ରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ଶପଥ ପାଠ କରାଇବେ। ମୋଦୀ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.