‘ପ୍ରକୃତ ସ୍ୱାଧୀନତା’ ମନ୍ତବ୍ୟକୁ ନେଇ ମୋହନ ଭାଗବତଙ୍କୁ ଘେରିଲେ ମଲ୍ଲିକାର୍ଜୁନ ଖଡଗେ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | January 15, 2025 IST

ନୂଆଦିଲ୍ଲୀ ୧୫।୧: ମୋହନ ଭାଗବତଙ୍କ ‘ପ୍ରକୃତ ସ୍ୱାଧୀନତା’ ବୟାନକୁ ନେଇ ଏବେ ଦେଶରେ ବିବାଦ ଦେଖା ଦେଇଛି। ଭାଗବତ କହିଥିଲେ ଯେ ଦେଶକୁ ବାସ୍ତବ ସ୍ୱାଧୀନତା ରାମନ୍ଦିର ପ୍ରତିଷ୍ଠା ଦିନ ମିଳିଛି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର କହିଛନ୍ତି ଯେ ମୋହନ ଭାଗବତ ଯଦି ଏପରି ବୟାନବାଜୀ କରିବେ ତେବେ ତାଙ୍କ ଲାଗି ଦେଶରେ ବୁଲିବା କଷ୍ଟକର ହୋଇପଡିବ। 

ଦିଲ୍ଲୀରେ କୋଟଲା ରୋଡସ୍ଥିତ କଂଗ୍ରେସର ନୂଆ ମୁଖ୍ୟାଳୟ ଉଦଘାଟନ ପରେ ପାର୍ଟି ନେତାମାନଙ୍କୁ ସମ୍ବୋଧିତ କରି ଖଡଗେ କହିଛନ୍ତି ଯେ ଆରଏସଏସର ଲୋକେ ମାନନ୍ତି ଯେ ରାମମନ୍ଦିର ପ୍ରତିଷ୍ଠା ସହିତ ଦେଶକୁ ସ୍ୱାଧୀନତା ମିଳିଛି ଓ ସେମାନେ ୧୯୪୭ ସ୍ୱାଧୀନତାକୁ ମନେ ପକାନ୍ତି ନାହିଁ, କାରଣ ସେମାନେ ଏଥି ପାଇଁ ଲଢେଇ ଲଢିନଥିଲେ। ଖଡଗେ କହିଛନ୍ତି ଯେ ଯେଉଁ ଲୋକମାନଙ୍କର ଦେଶର ସ୍ୱାଧୀନତା ସହିତ କୌଣସି ସମ୍ପର୍କ ନଥିଲା, ଯେଉଁମାନେ ଏଥି ପାଇଁ ଲଢେଇ ଲଢି ନଥିଲେ ସେମାନେ ଏପରି ବୟାନବାଜୀ କରୁଛନ୍ତି।    

ଖଡଗେ କହିଛନ୍ତି ମୁଁ ଆରଏସଏସ୍ ମୁଖ୍ୟଙ୍କ ବୟାନ ପଢିଛି। ସେ କହିଛନ୍ତି ବାସ୍ତବ ସ୍ୱାଧୀନତା ରାମମନ୍ଦିର ପ୍ରତିଷ୍ଠା ସହିତ ସ୍ଥାପିତ ହୋଇଛି। ସେ ପ୍ରଧାନମନ୍ତ୍ରୀଙ୍କ ସହିତ ମନ୍ଦିର ଉଦଘାଟନ କରିଥିଲେ। ତେବେ ମୋଦି ମାନନ୍ତି ଯେ ଦେଶକୁ ସ୍ୱାଧୀନତା ୨୦୧୪ରେ ମିଳିଛି ଯେବେ ସେ ପ୍ରଥମେ ପ୍ରଧାନମନ୍ତ୍ରୀ ହେଲେ। ଦେଶ ୧୯୪୭ରେ ସ୍ୱାଧୀନ ହୋଇଥିଲା, ହେଲେ ସେମାନେ ଏହା ମାନିବାକୁ ପ୍ରସ୍ତୁତ ନୁହଁନ୍ତି। କାରଣ ସେମାନେ ଦେଶର ସ୍ୱାଧୀନତା ପାଇଁ ସଂଘର୍ଷ କରିନଥିଲେ କି ଜେଲ ଯାଇ ନଥିଲେ ଏଣୁ ସେମାନଙ୍କୁ ସ୍ୱାଧୀନତା ମନେ ନାହିଁ। 


ଆମେ ଏଥି ପାଇଁ ସ୍ୱାଧୀନତାକୁ ମନେ ପକାଉଛୁ କାରଣ ଆମ ଲୋକେ ସ୍ୱାଧୀନତା ନିମନ୍ତେ ନିଜ ଜୀବନ ଦେଇଥିଲେ,ଏଥି ପାଇଁ ସଂଘର୍ଷ କରିଥିଲେ। ଖଡଗେ ମୋହନ ଭାଗବତଙ୍କ ବୟାନକୁ ନିନ୍ଦା କରିଛନ୍ତି ଓ କହିଛନ୍ତି ଯଦି ସେ ଏପରି ବୟାନ ଦେଇ ବୁଲିବେ ତେବେ ଦେଶରେ ତାଙ୍କ ବୁଲାବୁଲି ବି କଷ୍ଟକର ହୋଇପଡିବ। ଖଡଗେ କହିଛନ୍ତି ଯେ କଂଗ୍ରେସର ନୂଆ ମୁଖ୍ୟାଳୟ ‘ଇନ୍ଦିରା ଭବନ’ ସେହି ଶକ୍ତିଙ୍କ ବିରୋଧରେ ଛିଡା ହେବ ଯେଉଁମାନେ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧରେ କାମ କରୁଛନ୍ତି। 


ସେପଟେ କଂଗ୍ରେସ ସାଂସଦ ତଥା ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏପରି ବୟାନ ଦେଶର ସ୍ୱାଧୀନତା ସଂଗ୍ରାମ କାଳରେ ଲକ୍ଷଲକ୍ଷ ଭାରତୀୟ ଦେଇଥିବା ବଳିଦାନ ଓ ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସର ଅପମାନ। ଭାଗବତ ପ୍ରତି ୨-୩ଦିନରେ ଦେଶକୁ ଏହା ଜଣାଇବାକୁ ଚାହୁଁଛନ୍ତି ଯେ ସେ ସ୍ୱାଧୀନତା ଆନ୍ଦୋଳନ ଓ ସମ୍ବିଧାନ ସମ୍ପର୍କରେ କଣ ଭାବନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.