ଶେଷ ପର୍ଯ୍ୟାୟ ନିର୍ବାଚନରେ ଚର୍ଚ୍ଚା ହେଉଛି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ସୋସିଆଲ ମିଡିଆ ପୋଷ୍ଟ, ଜାଣନ୍ତୁ ଲେଖିଛନ୍ତି କ’ଣ?

Published By : Prameya-News7 Bureau | May 29, 2024 IST

ନୂଆଦିଲ୍ଲୀ ୨୯।୫: ଦେଶରେ ଲୋକସଭା ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଣୁ ସବୁ ରାଜନୈତିକ ଦଳ ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ ନିମନ୍ତେ ସବୁ ଶକ୍ତି ଲଗାଇ ଦେଇଛନ୍ତି। ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କାଳରେ ରାଜନୈତିକ ଦଳମାନେ ପରସ୍ପର ବିରୋଧରେ ଆରୋପ ଓ ପ୍ରତ୍ୟାରୋପ ମଧ୍ୟ କରୁଛନ୍ତି। ଏଥିରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବୁଧବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ଖଡଗେ ତାଙ୍କ ସୋସିଆଲ ମିଡିଆରେ ‘ଏବେ ମିଛୁଆ ଝୁଲି ଉଠାଇ ଯିବ’ ବୋଲି ଉଲ୍ଲେଖ କରିଛନ୍ତି। ଖଡଗେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ‘ଯେଉଁମାନଙ୍କ ବୈଚାରିକ ପୂର୍ବଜ ନାଥୁରାମ ଗଡସେଙ୍କ ସହିତ ମହାତ୍ମା ଗାନ୍ଧିଙ୍କ ହତ୍ୟାରେ ସାମିଲ ଥିଲେ, ସେମାନେ ବାପୁଙ୍କ ଦ୍ୱାରା ଦିଆଯାଇଥିବା ସତ୍ୟର ମାର୍ଗରେ କେବେ ଚାଲିପାରିବେନି’। ନିଜ ପୋଷ୍ଟରେ ମଲ୍ଲିକାର୍ଜୁନ ଖଡଗେ ଇସାରା ଇସାରାରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଓ ନାଥୁରାମ ଗଡସେଙ୍କ ସମର୍ଥକ କହିଛନ୍ତି। ତେବେ ନାଥୁରାମଙ୍କୁ ନେଇ ଖଡଗେ ବିଜେପିକୁ ଘେରିବା କିଛି ନୂଆ କଥା ନୁହେଁ। 


କଂଗ୍ରେସର ଅନେକ ନେତାଙ୍କ ଅଭିଯୋଗ ଯେ ବିଜେପିରେ ଏପରି ଅନେକ ନେତା ଅଛନ୍ତି, ଯେଉଁମାନେ ବାପୁଙ୍କ ହତ୍ୟାକାରୀ ଗଡସେଙ୍କ ଭକ୍ତ। ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତଙ୍କ ବୟାନ ପାର୍ଟିର ସମସ୍ୟାକୁ ବଢାଇ ଦେଇଥିଲା। ଜଣେ ଗଡସେଙ୍କୁ ଦେଶର ପୁଅ କହିଥିବା ବେଳେ ଅନ୍ୟ ଜଣକ ଗଡସେଙ୍କ ଲାଗି ଭାରତରତ୍ନ ଦାବି କରିଥିଲେ। ସେତେବେଳେ କଂଗ୍ରେସ ଏହାକୁ ଗାନ୍ଧି ବନାମ ଗଡସେ ଲଢେଇ ବୋଲି କହିଥିଲା। 


ଏବେ ଖଡଗେ ପୁଣି ଥରେ ଲୋକସଭା ନିର୍ବାଚନ କାଳରେ ସୋସିଆଲ ମିଡିଆରେ ବିଜେପିକୁ ଗଡସେଙ୍କୁ ନେଇ ଆକ୍ରମଣ କରିଛନ୍ତି। ୨୯ ମେ ବୁଧବାର ଖଡଗେ ଓଡିଶାରେ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଜନସଭାକୁ ସମ୍ବୋଧିତ କରି ସାରା ଦେଶରେ ଏବେ ଇଣ୍ଡିଆ ମେଣ୍ଟର ଲହର ବହୁଥିବା କହିଛନ୍ତି। ଦେଶର ଜନତା ଦିଲ୍ଲୀରୁ ମୋଦିଙ୍କ ବିଦାୟ ଧାର୍ଯ୍ୟ କରିଦେଇଛନ୍ତି ବୋଲି ଖଡଗେ ନିଜ ସମ୍ବୋଧନରେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.