‘ମୁଜରା’ ବୟାନକୁ ନେଇ ମୋଦିଙ୍କୁ ଘେରିଲେ ମଲ୍ଲିକାର୍ଜୁନ ଖଡଗେ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | May 25, 2024 IST

ଶିମଲା ୨୫।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ‘ମୁଜରା’ ବୟାନକୁ ନେଇ ଘେରିଛନ୍ତି। ହିମାଚଳ ପ୍ରଦେଶରେ ଗଣମାଧ୍ୟମକୁ ସମ୍ବୋଧିତ କରି ଖଡଗେ କହିଛନ୍ତି ମୋଦିଜି ଘାବରେଇ ଗଲେଣି। ଏଣୁ ତାଙ୍କ ମୁହଁରୁ ଏବେ ଏଭଳି କଥା ସବୁ ବାହାରୁଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବିହାରରେ ତାଙ୍କ ଭାଷଣ କାଳରେ ଏପରି ଶବ୍ଦ ସବୁ ବ୍ୟବହାର କରିଛନ୍ତି ଯାହା ଦେଶର କୌଣସି ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ କହି ନଥିବେ।

ପ୍ରଧାନମନ୍ତ୍ରୀ ପଦକୁ ସମସ୍ତେ ଆଦର କରନ୍ତି। ଏଣୁ ଏହି ପଦର ଗୌରବ ରକ୍ଷା କରିବା କଣ ତାଙ୍କ ଦାୟିତ୍ୱ ନୁହେଁ ବୋଲି ଖଡଗେ ପ୍ରଶ୍ନ କରିଛନ୍ତି। ଖଡଗେ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀଙ୍କ ମୁହଁରେ ନାଚ ଓ ମୁଜରା ଭଳି ଶବ୍ଦ ଶୋଭା ପାଏନି। ତାଙ୍କ ତାଙ୍କ ପଦବୀର ଗୌରବକୁ ରକ୍ଷା କରିବା ଦରକାର। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଉସକେଇବାକୁ ବହୁତ କଥା କୁହନ୍ତି। ସେ ହିନ୍ଦୁ-ମୁସଲମାନ କଥା କହୁଛନ୍ତି, ଜାତି-ଜାତି ମଧ୍ୟରେ ଲଢିବାର କଥା କହୁଛନ୍ତି। 


ଖଡଗେ କହିଛନ୍ତି ଯେ ସମ୍ବିଧାନରେ ଯେଉଁ ସବୁ କଥା ରହିଛି ତାକୁ ମୋଦି ସରକାର ଗୋଟିଗୋଟି କରି ବାହାର କରୁଛନ୍ତି। ସେମାନଙ୍କ ହକ ଦେବାକୁ ଅସ୍ୱୀକାର କରୁଛନ୍ତି। ଏଥି ପାଇଁ କଂଗ୍ରେସ ପାର୍ଟି ଲଢୁଛି। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ନିର୍ବାଚନ ସମୟରେ ମୋଦିଙ୍କୁ ମ..ରୁ ମଟନ ମନେ ପଡୁଛି, ମାଛ ମନେପଡୁଛି, ମୋଗଲ ମନେ ପଡୁଛି, ମରୁ ମଙ୍ଗଳସୂତ୍ର ଓ ମରୁ ମୁଜରା ମନେ ପଡୁଛି ହେଲେ ମ ରେ ମର୍ଯ୍ୟଦା ବୋଲି ଗୋଟେ ଶବ୍ଦ ଅଛି ତାକୁ ଭୁଲି ଯାଇଛନ୍ତି। ଯାହା ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ରହିବା ଦରକାର ବୋଲି ଖଡଗେ କହିଛନ୍ତି। 


ଉଲ୍ଲେଖଯୋଗ୍ୟ ଯେ ଶନିବାର ପାଟନାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’କୁ ଟାର୍ଗେଟ୍ କରିଥିଲେ। କହିଥିଲେ ଇଣ୍ଡିଆ ମେଣ୍ଟ ନିଜର ଭୋଟ ବ୍ୟାଙ୍କ ପାଇଁ ଏବେ ନାଚୁଛି, ମୁଜରା କରୁଛି। ଯାହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ଏବେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସାରା ଦେଶରେ ଶନିବାର ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.