କଂଗ୍ରେସ ସଭାପତି ନିର୍ବାଚନ: ମଲ୍ଲିକାର୍ଜୁନ ଖଡଗେ ଇନ୍ ଦିଗବିଜୟ ସିଂହ ଆଉଟ୍

Published By : Prameya-News7 Bureau | September 30, 2022 IST

ନୂଆଦିଲ୍ଲୀ ୩୦।୯:  ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତି ନିର୍ବାଚନ ଲାଗି ଶୁକ୍ରବାର ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଖଗଡେଙ୍କ ସହ ଶଶି ଥରୁର ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଦିଗବିଜୟ ସିଂହ ଓହରି ଯାଇଛନ୍ତି। ନିର୍ବାଚନ ଅଧିସୂଚନା ଅନୁସାରେ ୩୦ ସେପ୍ଟେମ୍ବର ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା। ସେହି ଅନୁସାରେ ୨ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି।  

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ନିମନ୍ତେ ପୂର୍ବରୁ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ନାମ ଚର୍ଚ୍ଚାରେ ଥିଲା। ଗାନ୍ଧି ପରିବାରଙ୍କ ନିକଟତମଙ୍କ ମଧ୍ୟରେ ଖଡଗେ ଅନ୍ୟତମ। କଂଗ୍ରେସ ସଭାପତି ପଦ ନିମନ୍ତେ ଏବେ ଖଡଗେ ଓ ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ଜଣାପଡିଛି। ତେବେ ଖଡଗେଙ୍କ ନାମ ପ୍ରସ୍ତାବ ନେଇ କଂଗ୍ରେସ ନେତାମାନେ ଯେଉଁପରି ଆଗକୁ ଆସିଛନ୍ତି ଏଥିରୁ ଖଡଗେଙ୍କ ବିଜୟ ସୁନିଶ୍ଚିତ ବୋଲି ଅନୁମାନ କରାଯାଉଛି।

୨୦୧୪ ମସିହାରେ ଖଡଗେ ଲୋକସଭାରେ କଂଗ୍ରେସର ନେତା ଥିଲେ। ୨୦୧୯ ମସିହା ଲୋକସଭା ନିର୍ବାଚନରେ ପରାଜୟ ଯୋଗୁ ତାଙ୍କୁ ୨୦୨୦ମସିହାରେ ରାଜ୍ୟସଭାକୁ ପଠା ଯାଇଛି। ଗତବର୍ଷ ଗୁଲାମନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ତାଙ୍କସ୍ଥାନରେ ଖଡଗେଙ୍କୁ ରାଜସଭା ସାଂସଦ କରାଯାଇଥିବା ବେଳେ ସେ ଏବେ ଉଚ୍ଚସଦନରେ  ବିରୋଧୀ ଦଳ ନେତା ଅଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.