ମହିଳାଙ୍କ ଉପରେ ମଲ୍ଲିକାର୍ଜୁନ୍ ଖଡଗେଙ୍କ ବୟାନକୁ ନେଇ ରାଜ୍ୟସଭାରେ ହଙ୍ଗାମା, ନିର୍ମଳା ସୀତାରମଣ କହିଲେ- ଆପଣଙ୍କ ଟିପ୍ପଣୀ ସ୍ୱୀକାର ନୁହେଁ
19/09/2023 at 7:38 PM

ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆଗତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ମୋଦୀ ସରକାର ମହିଳା ସଂରକ୍ଷଣ ବିଲ୍କୁ ‘ନାରୀ ଶକ୍ତି ବନ୍ଦନ’ ନାମରେ ଲୋକସଭାରେ ଉପସ୍ଥାପିତ କରିଛନ୍ତି । ନୂଆ ସଂସଦ ଭବନରେ ହିଁ ଆଗତ ହୋଇଛି ଏହି ବିଧେୟକ । ଆଉ ଏହାରି ମଧ୍ୟରେ ରାଜ୍ୟସଭାରେ ଏକ ପ୍ରସଙ୍ଗକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ପ୍ରକୃତରେ ବିରୋଧୀ ନେତା ମଲ୍ଲିକାର୍ଜୁନ୍ ଖଡଗେ ଏକ ବୟାନକୁ ନେଇ ହଙ୍ଗାମା ସ୍ଥିତି ଉପୁଜିଥିଲା।
ଗୃହରେ ମଲ୍ଲିକାର୍ଜୁନ୍ ଖଡଗେ କହିଥିଲେ ଯେ, ମହିଳାଙ୍କ କଥା ଆସିଲେ ରାଜନୀତିକ ଦଳମାନେ ଦୁର୍ବଳଙ୍କୁ ସୁଯୋଗ ଦେଇଥାନ୍ତି। ଯେଉଁମାନେ ସଶକ୍ତ ଏବଂ ନିଜ କଥାକୁ ଦୃଢ଼ତାର ସହ ଉପସ୍ଥାପନ କରିବାରେ ସକ୍ଷମ ସେଭଳି ମହିଳାଙ୍କୁ ଅବସର ମିଳିନଥାଏ। ଖଡଗେ ଆହୁରି କହିଥିଲେ ପଛୁଆ ଏବଂ ଅନୁସୂଚିତ ଜାତିର ମହିଳାଙ୍କୁ କେଉଁଭଳି ଭାବରେ ପାର୍ଟି ବାଛିଥାନ୍ତି ତାହା ଭଲ ଭାବରେ ଜଣା। ଆଉ ଖଡଗେ ଏହି ଟିପ୍ପଣୀ ଉପରେ ଭାଜପା ସାଂସଦଙ୍କ ତରଫରୁ ହଙ୍ଗାମା ଦେଖିବାକୁ ମିଳିଥିଲା।
ଆହୁରି ପଢ଼ନ୍ତୁ: ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍; ଆଜିର ଦିନକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ
ତେବେ ପ୍ରତି ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଏହା ସଂପୂର୍ଣ୍ଣ ଭାବରେ ଭୁଲ୍। ନିର୍ମଳା ସୀତାରମଣ ପ୍ରଶ୍ନ କରି କହିଥିଲେ ‘‘ ଆପଣଙ୍କ ପାର୍ଟିର ତ’ ମୁଖିଆ ମଧ୍ୟ ଲମ୍ବା ଅବଧି ଧରି ଜଣେ ମହିଳା କ’ଣ ସେ ଦୁର୍ବଳ ମହିଳା ଥିଲେ ? ଏଭଳି ଭାବରେ ମହିଳାଙ୍କ ବିଷୟରେ କହିବା ଭୁଲ ।’’
ହେଲେ ଏତିକିରେ ସରିନଥିଲା କଥା। ମଲ୍ଲିକାର୍ଜୁନ୍ ଖଡଗେ କହିଥିଲେ ‘‘ ଆପଣଙ୍କ କଥା ଭିନ୍ନ । ମୁଁ ଏସସି, ଏସଟି ଏବଂ ଓବିସି ବର୍ଗଙ୍କ ମହିଳାଙ୍କ ସହ କ’ଣ ହେଉଛି ତାହା କହୁଛି।’’ ଆଉ ଏହା ଉପରେ ମଧ୍ୟ ନିର୍ମଳା ସୀତାରମର କଡ଼ା ଜବାବ ଦେଇ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜନଜାତି ସମୁଦାୟର। କ’ଣ ସେ ଦୁର୍ବଳ ? ଆପଣ ଏଭଳି କଥା କୁହନ୍ତୁ ନାହିଁ।’’
ଆହୁରି ପଢ଼ନ୍ତୁ: ୨୭ ବର୍ଷ ଧରି ଅଟକିଛି ‘ମହିଳା ସଂରକ୍ଷଣ ବିଲ୍’: ଦିନେ ଯୋଗୀ ଆଦିତ୍ୟନାଥ ବି କରିଥିଲେ ବିରୋଧ
ଖଡଗେ ମହିଳା ସଂରକ୍ଷଣରେ ଓବିସି ସବ୍-କୋଟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଏସସି-ଏସଟି ମହିଳାଙ୍କୁ ସେମାନଙ୍କ କୋଟାରୁ ହିଁ ଏକ ତୃତୀୟାଂଶ ସଂରକ୍ଷଣ ଦିଆଯାଇଛି। କିନ୍ତୁ ଓବିସି ବର୍ଗ ପାଇଁ କ’ଣ ହେବ। ଏନେଇ ଚିନ୍ତା କରାଯିବା ଦରକାର। ଓବିସି ଶ୍ରେଣୀର ମହିଳାଙ୍କ ଶିକ୍ଷା ସ୍ତର ଦୁର୍ବଳ। ଏଥିପାଇଁ ତାଙ୍କ ବିଷୟରେ ମଧ୍ୟ ଚିନ୍ତା କରିବା ଦରକାର।
ସେହିଭଳି ଦୁର୍ବଳ ମହିଳା ବୟାନକୁ ନେଇ ସଫେଇ ଦେଇ ଖଡଗେ କହିଛନ୍ତି ‘‘ମୁଁ କୌଣସି ଦଳକୁ ନେଇ ଏପରି କହିନାହିଁ। ମୁଁ ସମସ୍ତଙ୍କ କଥା କହୁଛି। ହିନ୍ଦୁସ୍ତାନର ସବୁ ପାର୍ଟୀ ଏଭଳି କରିଥାନ୍ତି। ମହିଳାଙ୍କୁ ଏଭଳି ସୁଯୋଗ ଦିଆଯାଇଥାଏ ଯେ ସେ କିଛି କହିପାରିବେନି। ଆପଣମାନେ ମହିଳାଙ୍କୁ ଆଗକୁ ବଢ଼ିବାକୁ ଦେଉନାହାଁନ୍ତି।’’