ପାଠପଢାର ବିକଳ ଚିତ୍ର : ନେଟଓ୍ୱର୍କ ନାହିଁ, ୪ କିମି ଚାଲି ଜଙ୍ଗଲ ଭିତରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | November 23, 2021 IST

ମାଲକାନଗିରି,  ୨୩/୧୧: ଅନଲାଇନ ପାଠ ପଢ଼ାର ବିକଳ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ବିଦ୍ୟାଳୟର ଠାରୁ ୪ କିଲୋମିଟର ଦୂରକୁ ଚାଲି ଚାଲି ଯାଇ ଜଙ୍ଗଲ ଭିତରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ପଡିଆ ବ୍ଳକ ଅନ୍ତର୍ଗତ ମାଟେରୁ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା ।

ଜିଲ୍ଲାର ଅନେକ ସ୍ଥାନରେ ମୋବାଇଲ ନେଟୱାର୍କ  ନଥିବାରୁ ଅନଲାଇନ ପାଠ୍ୟକ୍ରମରେ ବାଧା ସୃଷ୍ଟି ହେଉଛି । ପଡ଼ିଆ ବ୍ଲକରେ ନେଟୱର୍କ ଅଭାବରୁ ଅନଲାଇନ ପରୀକ୍ଷା ଦେବା ପାଇଁ ବିଦ୍ୟାର୍ଥୀ ଚାରି କିମି ଦୂର ଚାଲିଚାଲି ଯାଇ ଜଙ୍ଗଲ ଭିତରେ ପରୀକ୍ଷା ଦେବା ଘଟଣା ପାଠପଢ଼ାର ବିକଳ ଚିତ୍ରକୁ ପଦାରେ ପକାଇଛି ।

ମାଟେରୁ ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେବାକୁ ପଡ଼ୁଛି । ଫଳରେ ପିଲା ୪ କିଲୋମିଟର ଦୂର ଚାଲିଚାଲି ଜଙ୍ଗଲ ଭିତରକୁ ଯାଇ ଗଛ ମୂଳରେ ବସି ପଡୋଶୀ ରାଜ୍ୟର ନେଟୱର୍କ ଉପରେ ନିର୍ଭର କରି ପରୀକ୍ଷା ଦେଉଛନ୍ତି । ସରକାର କେବଳ ଅନଲାଇନ ପରୀକ୍ଷା ଉପରେ ଧ୍ୟାନ ଦେଇଛନ୍ତି । କିନ୍ତୁ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଓ ନେଟୱର୍କ ସୁବିଧା ଅଛି କି ନାହିଁ ତାହା ଦେଖୁବା ଜରୁରୀ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ପିଲାମାନଙ୍କ କହିବାନୁସାରେ ଚାଲି ଚାଲି ଆସିଥିବାରୁ କଷ୍ଟ ଲାଗୁଛି ଓ ଜଙ୍ଗଲ ଭିତରେ ସାପ ଓ ଜୀବଜନ୍ତୁ ଆକ୍ରମଣ କରିବାର ମଧ୍ୟ ଭୟ ରହୁଛି । ଏହାଛଡ଼ା ଅଦିନିଆ ବର୍ଷା ମୁଖ୍ୟ ସମସ୍ୟା ବୋଲି କହିଛନ୍ତି । ଏଥିପାଇଁ ମାଟେରୁ ପଞ୍ଚାୟତରେ ମୋବାଇଲ ଟାୱାର ଯୋଗାଇ ଦେବା ଲାଗି ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.