ମାଲ୍ୟବନ୍ତ ମହୋତ୍ସବରେ ଦଳା ଚକଟା, ୧୦ ଆହତ
18/01/2023 at 8:30 AM

ମାଲକାନଗିରି ୧୮।୦୧ : ମାଲକାନଗିରି ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବରେ ଦଳା ଚକଟା । ଏଥିରେ ୧୦ରୁ ଅଧିକ ଆହତ ହୋଇ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି ।
ଖବର ଅନୁଯାୟୀ, ମଙ୍ଗଳବାର ମାଲ୍ୟବନ୍ତ ମହୋତ୍ସବର ଶେଷ ଦିନ ରହିଥିବା ବେଳେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ଭିଡ ହୋଇଥିଲା । ପଡିଆ ଭିତରେ ୩୦ହଜାର ଦର୍ଶକ ଉପସ୍ଥିତ ରହିଥିବା ବେଳେ ବାହାରେ ପ୍ରାୟ ୧୦ହଜାର ଦର୍ଶକ ଥିଲେ । ହେଲେ ମୁଖ୍ୟ ଗେଟ ସମ୍ମୁଖରେ ପ୍ରବଳ ଭିଡ ହେବା ଫଳରେ ସେଠାରେ ଠେଲା ପେଲା ହୋଇଥିଲା । ଏପରିକି ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସୁରକ୍ଷା କର୍ମୀ ମାନେ ସେଠାରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଆହତ ମାନଙ୍କୁ ମେଡିକାଲ ପଠାଇଥିଲେ ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଆଠଗଡ଼ ବଡମ୍ବା ସିଂହନାଥ ପୀଠରେ ଦଳଚକଟା ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ । ସେହିପରି ତାପରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଦଳଚକଟା ହୋଇଥିଲା । ଏଥିରେ ଦୁଇ ଜଣ ଭକ୍ତ ଗୁରୁତର ହୋଇଥିଲେ । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।