ବନ୍ଦ୍ ଘରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ, ଟଙ୍କା ପାଇଁ ମାଲିକଙ୍କୁ ମାରିଦେଲା ଭଡାଟିଆ

Published By : Prameya-News7 Bureau | August 01, 2022 IST

ବୋରିଗୁମ୍ମା ୦୮/୦୧: ବନ୍ଦ ଘରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ କରିଛି କୋଟପାଡ଼ ପୋଲିସ । ଟଙ୍କା ପାଇଁ ଘର ଭଡାଟିଆ ହିଁ ଘର ମାଲିକଙ୍କୁ ହତ୍ୟା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ପୁରା ଘଟଣା ଉପରୁ ପରଦା ହଟାଇଛନ୍ତି ବୋରିଗୁମ୍ମା SDPO । ଅଭିଯୁକ୍ତ ମାନେ ହେଲେ କିଶୋର ସୁନା ଏବଂ ସୀମାଞ୍ଚଳ ବିନ୍ଧାଣି । ମୃତକ ଅନନ୍ତ ଖରାଙ୍କ ଘରେ ଭଡା ରହୁଥିବା କାଠ ମିସ୍ତ୍ରୀ ଏବଂ ସହଯୋଗୀ ।

ଗତ ମାସ ୨୯ତାରିଖ ଦିନ କୋଟପାଡ଼ ମିଶନ କମ୍ପାଉଣ୍ଡର ଏକ ବନ୍ଦ କୋଠରୀରୁ ଅନନ୍ତ ଖରାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା କୋଟପାଡ଼ ପୋଲିସ । ପୋଲିସ ସୂଚନା ମୁତାବକ ଅନନ୍ତ ଖରା ନିଜେ ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ଘରେ ଦୀର୍ଘଦିନ ହେବ ଭଡାରେ ଅଭିଯୁକ୍ତ ରହୁଥିଲେ । ତେବେ ଅନନ୍ତ ଖରା ନିଜ ପାଖରେ ଲକ୍ଷାଧିକ ଟଙ୍କା ରଖିଥିବା ଅଭିଯୁକ୍ତ ମାନେ ଜାଣିବାକୁ ପାଇଥିଲେ ।

ତେଣୁ ଟଙ୍କା ଲୁଟ କରିବା ପାଇଁ ଦୁଇ ଅଭିଯୁକ୍ତ ପୂର୍ବ ଯୋଜନା ମୁତାବକ ଘର ମାଲିକଙ୍କୁ ହତ୍ୟା କରି ଟଙ୍କା ନେଇ ଚାଲି ଯାଇଥିଲେ । ଅଭିଯୁକ୍ତ କିଶୋର ସୁନା କାଠ ମିସ୍ତ୍ରୀ ଏବଂ ସହଯୋଗୀ ସୀମାଞ୍ଚଳ ବିନ୍ଧାଣି ଘଟଣା ପରଦା ଠାରୁ ଫେରାର ଥିବାଯୋଗୁଁ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାର ଅନ୍ୟତମ ଅଭିଯୁକ୍ତ କାଠ ମିସ୍ତ୍ରୀର ସହଯୋଗୀ ସୀମାଞ୍ଚଳ ବିନ୍ଧାଣିକୁ ପୋଲିସ କାବୁ କରିଛି ।

ଅପରାଧ ସମ୍ପର୍କରେ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ତାଙ୍କ ଠାରୁ ୨ଲକ୍ଷ ୪୪ ହଜାର ୪ଶହ ଟଙ୍କା ଜବତ କରିଛି । ମୁଖ୍ୟ ଅଭିଯୁକ୍ତ କାଠ ମିସ୍ତ୍ରୀକୁ ଖୁବ ଶୀଘ୍ର କାବୁ କରାଯିବ ବୋଲି କହିଛନ୍ତି ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.