ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ମୋଦୀଙ୍କ ଅତିଥି ମାଳଦ୍ୱୀପ ରାଷ୍ଟ୍ରପତି

Published By : Prameya-News7 Bureau | June 06, 2024 IST

indiatoday

ନୂଆଦିଲ୍ଲୀ: ଜୁନ ୯ ତାରିଖ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନରେନ୍ଦ୍ର ମୋଦୀ। ତାଙ୍କ ଶପଥ ଗ୍ରହଣ ଉତ୍ସବରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମା ସିଂଘେଙ୍କ ସମେତ ବହୁ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଲା ଭାରତ ବିରୋଧରେ ସବୁବେଳେ ତିକ୍ତ ମନଭାବ ପୋଷଣ କରୁଥିବା ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ନିମନ୍ତ୍ରଣ କରାଯାଇଛି। ପିଏମ୍‌ଙ୍କ ଅତିଥି ତାଲିକାରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କ ନାଁ ରହିଛି।

ମୋଦୀଙ୍କ ଅତିଥି ତାଲିକାରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲ ଏବଂ ଭୁଟାନ ରାଜା କିଙ୍ଗ ଜିଗ୍‌ମେ ଖେସାର ନାମଗ୍ୟାଲ୍ ୱାଙ୍ଗଚୁକ୍‌ ମଧ୍ୟ ରହିଛନ୍ତି। ସୂଚନା ଥାଉକି ଜୁନ ୪ ତାରିଖରେ ଘୋଷଣା ହୋଇଥିବା ନିର୍ବାଚନ ଫଳାଫଳରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ୨୯୩ ଆସନ ମିଳିଛି। ଦଳ ବହୁମତ ପାଇଥିବାରୁ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଜବାହାରଲାଲ ନେହରୁଙ୍କ ପରେ ମୋଦୀ ଦ୍ୱିତୀୟ ବ୍ୟକ୍ତି ଯେ ଲାଗତର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। 

ପିଟିଆଇ ରିପୋର୍ଟ ଅନୁସାରେ, ବୁଧବାର ନରେନ୍ଦ୍ର ମୋଦୀ ଶ୍ରୀ ଲଙ୍କା ରାଷ୍ଟ୍ରପତିଙ୍କୁ କଲ୍ କରି ଶପଥଗ୍ରହଣ ଉତ୍ସବରେ ସାମିଲ୍ ହେବାକୁ ଅନୁରୋଧ କରିଥିଲେ। ସେହିପରି ବାଂଲାଦେଶ ପିଏମ୍ ଶେଖ ହସିନାଙ୍କୁ ମଧ୍ୟ କଲ୍ କରି ନିମନ୍ତ୍ରଣ ପଠାଇଥିଲେ। ଦୁଇ ନେତା ଦୁଇଟି ବଡ଼ ପ୍ରୋଜେକ୍ଟ ୨୦୪୭ ସୁଦ୍ଧା ବିକଶିତ ଭାରତ  ଏବଂ ୨୦୪୧ ସୁଦ୍ଧା ସ୍ମାର୍ଟ ବାଂଲାଦେଶରେ ମିଳି ମିଶି କାମ କରିବେ ବୋଲି ଶପଥ ନେଇଛନ୍ତି।   

୨୦୧୯ ଲୋକସଭା ନିର୍ବାଚନ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ବାଂଲାଦେଶ ନେତା, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନ ମିଶାଇ ପାଖାପାଖି ୮ ହଜାର ପ୍ରତିନିଧି ଭାଗ ନେଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.