ଭାରତ ବିନା ଗତି ନାହିଁ ବୋଲି ଜାଣିବା ପରେ ନରମିଲେ ମାଳଦ୍ୱୀପ ରାଷ୍ଟ୍ରପତି’ କହିଲେ- ଦୁହେଁ ମିଶି କାମ କରିବୁ
15/11/2023 at 4:42 PM

ମାଳଦ୍ୱୀପ: ଭାରତ ବିରୋଧରେ ଜୋରସୋରରେ ବର୍ଷୁଥିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ଏମିତିକି ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଭାରତ ବିରୋଧୀ ନାରା ଦେଇଥିଲେ। ଭାରତୀୟ ସେନାକୁ ମାଲଦ୍ୱୀପରୁ ହଟାଇ ଦିଆଯିବ ବୋଲି କହି ସେ ମାଳଦ୍ୱୀପର ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ହେଲେ ଏବେ ରାଷ୍ଟ୍ରପତି ହେବା ପରେ ମହମ୍ମଦ ମୁଇଜୁଙ୍କ ଅକଲ ପଶିଛି। କେତେ ଚୁନାରେ କେତେ ପିଠା ହୁଏ ସେ ଜାଣିପାରିଛନ୍ତି।
ଭୌଗଳିକ ସ୍ଥିତି, ସମସ୍ୟା ଓ ମାଳଦ୍ୱୀପର କରାମତି ଜଣିସାରିବା ପରେ ଏବେ ମୁଇଜୁଙ୍କର ଭାରତ ବିରୋଧୀ ସ୍ୱର ଦବିଯାଇଛି। ଏବେ କହୁଛନ୍ତି ଆମେ ଭାରତ ସହ ମିଶି କାମ କରିବୁ। ରାଷ୍ଟ୍ରପତି ଚେୟାରରେ ବସିବା ପରେ ମୁଇଜୁ କହିଛନ୍ତି ଯେ ଭୌଗଳିକ ମାଳଦ୍ୱୀପ ଏକ ଛୋଟ ଦେଶ ହୋଇଥିବାରୁ ଏକାକୀ ଭୂରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର ସାମ୍ନା କରିପାରିବ ନାହିଁ। ତେଣୁ ଆମକୁ ଭାରତ ସହ ମିଶି କାର୍ଯ୍ୟ କରିବାକୁ ହେବ। ଆମେ ସବୁ ଦେଶ ସହ ମିଶି କାମ କରିବୁ। ଏମିତିକି ଉଭୟ ଭାରତ ଓ ଚୀନ ସହ ମିଶି କାର୍ଯ୍ୟ କରିବୁ ବୋଲି ମହମ୍ମଦ ମୁଇଜୁ କହିଛନ୍ତି।
ନ୍ୟୁଜ୍ ଏଜେନ୍ସି ଏଫ୍ପିକୁ ସାକ୍ଷାତ୍କାର ଦେଇ ମୁଇଜୁ କହିଛନ୍ତି ” ଭୂରାଜନୈତିକ ଶତ୍ରୁତାକୁ ସାମ୍ନା କରିବାକୁ ମାଳଦ୍ୱୀପ ଖୁବ୍ ଛୋଟ ଦେଶ। ଏଥିରେ ମାଳଦ୍ୱୀପର ଥିବା ବୈଦେଶିକ ନୀତି ଉପରେ ହସ୍ତକ୍ଷେପ କରିବାକୁ ମୁଁ ବେଛି ଇଚ୍ଛୁକ ନୁହେଁ।“
୪୫ ବର୍ଷୀୟ ମହମ୍ମଦ ମୁଇଜୁ ଗତ ଶୁକ୍ରବାର ଦିନ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଶପଥ ନେବା ପରେ ସେ କହିଛନ୍ତି “ଆମେ ସବୁ ଦେଶ ସହ ମିଶି କାର୍ଯ୍ୟ କରିବୁ। ଭାରତ ଚୀନ ସମେତ ଅନ୍ୟ ଦେଶମାନଙ୍କ ସହ ବି ମିଶିବୁ।”
ପଢନ୍ତୁ-ସୁବ୍ରତ ରାୟଙ୍କ ପରଲୋକରେ ବୁଡିଯିବକି ନିବେଶକଙ୍କ ଅର୍ଥ! ଆସନ୍ତୁ ଜାଣିବା ମିଳିବାକୁ ଥିବା ରିଫଣ୍ଡର ଏବେ ହେବ କ’ଣ?
ଅକ୍ଟୋବର ମାସରେ ମୁଇଜୁ ବ୍ଲୁମବର୍ଗକୁ ଏକ ଇଣ୍ଟରଭ୍ୟୁ ଦେଇ ଭାରତ ସେନା ହଟାଇବା କଥା କହିଥିଲେ। ମାଳଦ୍ୱୀପ ଭାରତ ସହ ମିଶି ସେନା ହଟାଇବା ଦିଗରେ କଥାବାର୍ତ୍ତା ଆରମ୍ଭ କରି ଦେଇଛି ବୋଲି କହିଥିଲେ। ହେଲେ କଥାକୁ ମାସଟିଏ ବି ପୂରିନି ମୁଇଜୁ ନିଜ ଦେଶର କରାମତି ଜାଣି ଭାରତ ହାତ ଛାଡ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।
ସୂଚନା ଥାଉକି, ୭୦ ଭାରତୀୟ ସେନା ମାଳଦ୍ୱୀପରେ ରହି ସେଠାରେ ଭାରତ ପକ୍ଷରୁ ତିଆରି କରାଯାଥିବା ରାଡାର ଷ୍ଟେସନ ପରିଚାଳନା ସହ ବିମାନଯୋଗେ ସୁରକ୍ଷା ଦେଉଛି। ଭାରତୀୟ ଯୁଦ୍ଧପୋତଗୁଡ଼ିକ ମାଳଦ୍ୱୀପର ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକୁ ସୁରକ୍ଷା ଦେଉଛି।