ପୁରୁଷ ହକି ବିଶ୍ଵ କପ୍ ୨୦୨୩: ରୋମାଞ୍ଚକର ମୁକାବିଲାରେ ଚିଲିକୁ ୩-୨ରେ ହରାଇଲା ମାଲେସିଆ
16/01/2023 at 4:10 PM

ଭୁବନେଶ୍ଵର: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗ୍ରୁପ ସିରେ ଚିଲି ଏବଂ ମାଲେସିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ମାଲେସିଆ ବିଜୟ ଲାଭ କରିଛି। ରୋମାଞ୍ଚକର ମୁକାବିଲାରେ ମାଲେସିଆ ଚିଲିକୁ ୩-୨ରେ ଗୋଲ୍ରେ ହରାଇଛି। ଏହି ବିଜୟ ସହ ମାଲେସିଆ ତିନି ଅଙ୍କ ସହ ଗ୍ରୁପ ସିରେ ତୃତୀୟ ସ୍ଥାନରେ ପହଞ୍ଚିଛି। ଅନ୍ୟପଟେ ଚିଲି ଦୁଇଟି ମ୍ୟାଚ୍ ପରାଜୟ ସହ ଶେଷ ସ୍ଥାନରେ ରହିଛି। ଆଗାମୀ ମ୍ୟାଚ୍ ନେଦରଲାଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଛି।
ପ୍ରଥମ କ୍ଵାର୍ଟରରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ତେବେ ଏହି କ୍ଵାର୍ଟରରେ କୌଣସି ଦଳ ଗୋଲ୍ ଦେଇ ପାରିନଥିଲେ। ଦ୍ଵିତୀୟ କ୍ଵାଟର ଆରମ୍ଭରେ ଚିଲି ଦମଦାର ପ୍ରଦର୍ଶନ କରିଥିଲା। ୧୯ତମ ମିନିଟ୍ରେ ଅମୋରୋସୋ ଜୁଆନ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇଥିଲେ। ଏହା ଚିଲିର ବିଶ୍ଵ କପ୍ ଇତିହାସରେ ଦ୍ଵିତୀୟ ଗୋଲ୍ ଥିଲା। ଏହା ପରେ ୨୫ତମ ମିନିଟ୍ରେ ମାଲେସିଆର ରହିମ ରେଜି ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ମ୍ୟାଚ୍କୁ ୧-୧ରେ ବରାବର କରିଥିଲେ। ୨୮ତମ ମିନିଟ୍ରେ ରଡ୍ରିଗେଜ୍ ମାର୍ଟିନ ଗୋଲ୍ ଦେଇ ଚିଲିକୁ ୨-୧ରେ ଅଗ୍ରଣୀ ହାସଲ କରିଥିଲେ। ହାପ୍ ଟାଇମ୍ ସୁଦ୍ଧା ଚିଲି ମ୍ୟାଚ୍ରେ ୨-୧ରେ ଅଗ୍ରଣୀ ହାସଲ କରିଥିଲା।
Malaysia ensured that they were here to stay. Congratulations on the win!
— Hockey India (@TheHockeyIndia) January 16, 2023
🇲🇾MAS 3:2 CHI 🇨🇱#HockeyIndia #IndiaKaGame #HWC2023 #StarsBecomeLegends #MASvsCHI @CMO_Odisha @sports_odisha @IndiaSports @Media_SAI @hockeymalaysia @chile_hockey pic.twitter.com/4dp8Fx7G7n
ତୃତୀୟ କ୍ଵାର୍ଟରରେ ମାଲେସିଆ ଆକ୍ରମକ ଶେଳୀରେ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲା। ହମସାନି ଅଶରନ ୪୦ତମ ମିନିଟ୍ରେ ଗୋଲ୍ ଦେଇ ମାଲେସିଆକୁ ୨-୨ ବରାବର ସ୍ଥିତିକୁ ଆଣିଥିଲେ। ପୁଣି ସୁମାନତ୍ରୀ ନୋରସିଆଫିକ ୪୧ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ମାଲେସିଆକୁ ୩-୨ରେ ଅଗ୍ରଣୀ କରାଇଥିଲେ। ଚତୁର୍ଥ କ୍ଵାର୍ଟରରେ ଚିଲି ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ହେଁ ଗୋଲ୍ ଦେଇ ପାରିନଥିଲା। ତୃତୀୟ କ୍ଵାର୍ଟରରେ ମିଳିଥିବା ଅଗ୍ରଣୀକୁ ବଜାୟ ରଖି ଶେଷରେ ମାଲେସିଆ ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାକୁ ୩-୨ରେ ଜିତି ନେଇଛି।