ଓସ୍କାର ୨୦୨୪ରେ ମାଲାୟାଲମ ସିନେମା ୨୦୧୮, ଶ୍ରେଷ୍ଠ ଫିଚର ଫିଲ୍ମ କାଟାଗୋରୀରେ କରିବ କମ୍ପିଟ୍
27/09/2023 at 4:29 PM

ନୂଆଦିଲ୍ଲୀ, ୨୭/୯: ପୁଣି ବାଜି ମାରିଲା ଦକ୍ଷିଣ ଭାରତୀୟ ସିନେମା । ଓସ୍କାର୨୦୨୪ ଦୌଡ଼ରେ ମାଲାୟାଲାମ ଫିଲ୍ମ ‘୨୦୧୮’। ଭାରତ ପକ୍ଷରୁ ଓସ୍କାରରେ ମିଳିଲା ଏଣ୍ଟ୍ରି । ଏନେଇ ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ‘୨୦୧୮ ଏୱରିୱନ ଇଜ ଏ ହିରୋ’ର କାହାଣୀ ୨୦୧୮ରେ କେରଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଉପରେ ପର୍ଯ୍ୟବେସିତ । ପ୍ରାକୃତିକ ବିପର୍ଯୟ ଉପରେ ମାନବ ଶକ୍ତିର ବିଜୟକୁ ନେଇ ସିନେମାର କାହାଣୀ ଗତିଶୀଳ ।

ଶ୍ରେଷ୍ଠ ଅନ୍ତର୍ରାଷ୍ଟ୍ରୀୟ ଫିଚର ଫିଲ୍ମ କ୍ୟାଟେଗୋରୀରେ ପ୍ରତିଯୋଗିତା କରିବ ‘୨୦୧୮’ । ୨୦୦୨ରେ ‘ଲଗାନ’ ପରେ କୌଣସି ଭାରତୀୟ ସିନେମା ଏହି କ୍ୟାଟେଗୋରୀ ପାଇଁ ମନୋନୀତ ହୋଇ ନଥିଲା । ଏହା ପୂର୍ବରୁ କେବଳ ଦୁଇଟି ସିନେମା ଏହି କ୍ୟାଟେଗୋରୀର ଶ୍ରେଷ୍ଠ ୫ ମଧ୍ୟରେ ସ୍ଥାନ ପାଇଥିଲା । ଏହି ଫିଲ୍ମ ଗୁଡ଼ିକ ଥିଲା ‘ମଦର ଇଣ୍ଡିଆ’ ଓ ‘ସଲାମ ବମ୍ବେ’ ।

୨୦୨୩ରେ ରିଲିଜ ହୋଇଥିବା ସିନେମା ଗୁଡ଼ିକ ପାଇଁ ୯୬ତମ ଓସ୍କାର ୧୦ ମାର୍ଚ୍ଚ ୨୦୨୪ରେ ଲସ ଆଞ୍ଜେଲସରେ ଅନୁଷ୍ଠିତ ହେବ । ମାଲାୟାଲାମ ଫିଲ୍ମ ‘୨୦୧୮’କୁ ମନୋନୟନ ପୂର୍ବରୁ ବିଭିନ୍ନ ଭାଷାଭାଷୀ ୨୨ଟି ସିନେମା ଉପରେ ବିଚାର କରାଯାଇଥିଲା । ଶେଷରେ ‘୨୦୧୮’ ବାଜି ମାରି ନେଇଥିଲା ।

ଜୁଡ ଏନ୍ଥୋନି ଜୋସେଫଙ୍କ ନିର୍ଦ୍ଦେଶିତ ‘୨୦୧୮’ରେ ମୁଖ୍ୟ ଭୂମିକାରେ ଟୋବିନୋ ଥୋମାସ, କୁଞ୍ଚାକୋ ବୋବନ, ଆଫିସ ଅଲି, ବିନୀତ ଶ୍ରୀନିବାସନ, ନାରାୟଣ ଓ ଲାଲ ପ୍ରମୁଖ ଅଭିନୟ କରିଥିଲେ । ଚଳିତ ବର୍ଷ ମେ ମାସରେ ସିନେମାଟି ରିଲିଜ ହୋଇଥିବା ବେଳେ କ୍ରିଟିକ୍ସଙ୍କ ମଧ୍ୟରେ ସିନେମାଟି ଖୁବ୍ ଆଦୃତ ହୋଇଥିଲା । ଏଯାବତ ସର୍ବାଧିକ ରୋଜଗାର କରିଥିବା ମାଲାୟାଲାମ ସିନେମା ହେଉଛି ‘୨୦୧୮’ ।