ଅମ୍ଳାନଙ୍କ ‘ବାଜିବ ଲୋ ସାହାନାଇ’
28/08/2020 at 9:09 AM

ଭୁବନେଶ୍ବର୨୮/୮: କିଛି ବର୍ଷ ତଳେ ଯାତ୍ରା ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ଏକ ଯାତ୍ରା ବହିକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବାଜିବ ଲୋ ସାହାନାଇ’ । ଏହାର ପୋଷ୍ଟ୍ ପ୍ରଡକ୍ସନ୍ କାମ ଏବେ ଶେଷ ପର୍ଯ୍ୟାୟରେ । ଏଥିରେ ମୁଖ୍ୟ ଭୂମିକାରେ ଅମ୍ଲାନ ଅଭିନୟ କରିଥିବାବେଳେ ତାଙ୍କ ସହିତ ଅଭିନେତ୍ରୀ ଝିଲିକ୍ ଅଭିନୟ କରିଛନ୍ତି ।
ଜଣେ ସାହାନାଇ ବଜାଉ ଥିବା ଗରିବ ପ୍ରେମିକର ପ୍ରେମର ପରୀକ୍ଷା ଭଗବାନ କେତେ ଯେ କଠିନ ଭାବରେ ନେଇପାରନ୍ତି ତାହା ହିଁ ଏଥିରେ ଚିତ୍ରଣ କରାଯାଇଛି । ଜଣେ ନିଚ ଜାତିରେ ଜନ୍ମ ହୋଇଥିବା ସାହାନାଇ ବାଦକ କଣ ପ୍ରେମ କରିପାରିବନି? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଏହି ଚଳଚ୍ଚିତ୍ରରେ ଦେଖିବାକୁ ମଳିବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଇଂ. ଆଶୁତୋଷ ମହାପାତ୍ର ।
ତେବେ ଅମ୍ଳାନଙ୍କ ସାହାନାଇ କେମତି ବାଜିଛି ଏହା ସିନେମାଟି ମୁକ୍ତିଲାଭ କଲା ପରେ ଜଣାପଡ଼ିବ । ଅମ୍ଲାନ ୨୦୧୩ରେ ‘ଟାର୍ଗେଟ୍’ ଚଳଚ୍ଚିତ୍ରରୁ ତାଙ୍କ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହା ପରେ ‘ତୁ ମୋ’ ଦେହର ଛାଇ’, ‘ଗୋଲାପି ଗୋଲାପି’, ‘ପାଗଳ କରିଚୁ ତୁ’, ‘କଲେଜ୍ ଟାଇମ୍’, ‘ତୁ କହିବୁ ନା’ ମୁଁ’, ‘ତୋର ଦିନେକୁ ମୋର ଦିନେ’, ‘ଚିନି’ ଏବଂ ‘ନୂଆ ନୂଆ ପ୍ରେମରେ’ ପ୍ରଭୃତି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସେ ସଫଳତା ପାଇଛନ୍ତି । ବିଧିବଦ୍ଧ ଭାବରେ ଅଭିନୟ ତାଲିମ ନେଇ ଥିବା ଅମ୍ଲାନଙ୍କ ଅଭିନୟକୁ ଦର୍ଶକ ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି ।