'IB ରିପୋର୍ଟ ସାର୍ବଜନୀନ କରିବା ଗୁରୁତର ପ୍ରସଙ୍ଗ', କଲେଜିୟମର ନିଷ୍ପତ୍ତି ଉପରେ ସରକାର ଚିନ୍ତିତ

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ଜଜଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିବାଦ ଜାରି ରହିଛି । ଏହାରି ମଧ୍ୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ସ୍ପଷ୍ଟ କରିଛନ୍ତି ଯେ ନିଯୁକ୍ତି ପ୍ରଶାସନିକ ମାମଲା ଅଟେ । ଏହି ସମୟରେ ସେ କଲେଜିୟମ ପକ୍ଷରୁ ଆଇବି ରିପୋର୍ଟ ସାର୍ବଜନୀନ କରିବା ପାଇଁ ପ୍ରଶ୍ନ ଉଠାଇଛନ୍ତି । ମଙ୍ଗଳବାର କୋର୍ଟରେ ବିଚାରଧିନ ମାମଲାକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକଟ କରିଛନ୍ତି ।

ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ରିଜିଜୁ କହିଛନ୍ତି, 'ର' ଏବଂ IBର ଗୁପ୍ତ ଏବଂ ସମ୍ୱେଦନଶୀଳ ରିପୋର୍ଟକୁ ସାର୍ବଜନୀନ କରିବା ଚିନ୍ତାର ବିଷୟ । ଏହା ଉପରେ ବିଚାର କରାଯିବ'। ଉଲ୍ଲେଖଯୋଗ୍ୟ ଯେ ନିକଟରେ କଲେଜିୟମ ହାଇକୋର୍ଟରେ ଜଜଙ୍କ ନିଯୁକ୍ତି ସହ ଜଡିତ ର' ଏବଂ ଆଇବି ରିପୋର୍ଟକୁ ସାର୍ବଜନୀନ କରିଥିଲା । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଚାରି ଦିନ ପର୍ଯ୍ୟନ୍ତ ବିଚାର କରିବା ପାରେ ରିପୋର୍ଟକୁ ସାର୍ବଜନୀନ କରିଥିଲେ ବୋଲି କୁହାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ଜଜ ଭାବେ ନିଯୁକ୍ତି ଦେବା ପାଇଁ କଲେଜିୟମ ଯେଉଁମାନଙ୍କ ନାଁକୁ ସୁପାରିସ କରେ, ସରକାର ସେହି ନାଁ ଗୁଡିକୁ ଆଇବିକୁ ପଠାଇ ସେମାନଙ୍କ ରେକର୍ଡ ଯାଞ୍ଚ କରିଥାନ୍ତି । ସେଠାରୁ ଅନୁମତି ମିଳିବା ପରେ ସରକାର ନାଁ ଗୁଡିକ ଉପରେ ମୋହର ମାରିଥାନ୍ତି । ଅନ୍ୟପଟେ ସରକାରଙ୍କୁ ଠିକ୍ ନ ଲାଗିଲେ, ଜଜଙ୍କ ସନ୍ଦିଗ୍ଧ ରେକର୍ଡ ଥିବା କହି ଫାଇଲକୁ ଫେରାଇ ଦିଅନ୍ତି ।

କେନ୍ଦ୍ରମନ୍ତ୍ରୀ ସୋମବାର କହିଥିଲେ ଯେ ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ମତଭେଦ ହୋଇପାରେ କିନ୍ତୁ ଏହାର ଅର୍ଥ ଦୁହେଁ ଦୁହିଁଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ମହାଭାରତ ଚାଲିଛି, ଯେପରି କିଛି ଜଣ ଉପସ୍ଥାପନ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ କହିଥିଲେ, 'ଆମ ଭିତରେ କୌଣସି ବିବାଦ ନାହିଁ' ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.