ନିର୍ମାଣ ହେବ ଫିଲ୍ମ ପୁଷ୍ପା ୨, ଉତ୍ତର ଭାରତ ଉପରେ ନିର୍ମାତାଙ୍କ ଫୋକସ୍, ପୁଣି ଥରେ କମାଲ୍ କରିବାକୁ ପ୍ରସ୍ତୁତ ଅଲ୍ଲୁ ଅର୍ଜୁନ

Published By : Prameya-News7 Bureau | March 13, 2022 IST

ନୂଆଦିଲ୍ଲୀ ୧୩।୦୩: ସାଉଥ ସିନେମାର ଯାଦୁ ଏବେ ପୁରା ଦୁନିଆରେ ବ୍ୟାପୀ ଯାଇଛି। ଆଉ ସେହି ଦିନ ନାହିଁ ଯେବେ ଏହାର ଲୋକପ୍ରିୟତା କେବଳ ଦକ୍ଷିଣ ଭାରତରେ ସୀମିତ ଥିଲା। ଏବେ ଦକ୍ଷିଣ ଭାରତୀୟ ଫିଲ୍ମ ଦେଶ ଏବଂ ଦୁନିଆର କୋଣ ଅନୁକୋଣରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ହେଉଛି ଏହାର ସଦ୍ୟତମ ଉଦାହରଣ। ସାମାଜିକ ଗଣମାଧ୍ୟମରେ ଏହି ଫିଲ୍ମକୁ ନେଇ କିଛି ଅଛପା ନାହିଁ। ବିଦେଶରେ ମଧ୍ୟ ଫିଲ୍ମର ବକ୍ସ ଅଫିସ କଲେକ୍ସନ ଦମଦାର ରହିଛି। ତେବେ ଏବେଠୁ ଏହାର ଦ୍ଵିତୀୟ ଭାଗ ନିର୍ମାଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ଫିଲ୍ମକୁ ନେଇ ଏକ ନୂତନ ଖୁଲାସା ହୋଇଛି ଯାହା ଉତ୍ତର ଭାରତର ଦର୍ଶକଙ୍କ ପାଇଁ ବଡ ଖୁସି ଖବର। ସଦ୍ୟତମ ଖବର ଅନୁଯାୟୀ, ଫିଲ୍ମର ଦ୍ଵିତୀୟ ପାର୍ଟକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। କୁହାଯାଉଛି ନିର୍ମାତା ଦ୍ଵିତୀୟ ପାର୍ଟରେ ଉତ୍ତର ଭାରତୀୟ ଲୋକଙ୍କୁ ବାନ୍ଧି ରଖିବାକୁ ଚାହାନ୍ତି। ଏଥିପାଇଁ ପୁଷ୍ପାର ଦ୍ଵିତୀୟ ଭାଗରେ ଉତ୍ତର ଭାରତ ସମ୍ବନ୍ଧିତ କାହାଣୀ ଦେଖିବାକୁ ମିଳିପାରେ। କିନ୍ତୁ ଏବେଠୁ ଏହା କହିବା ତରବରିଆ ହୋଇପାରେ। ଫିଲ୍ମଟି ଯେଉଁଭଳି ଭାବେ ଉତ୍ତର ଭାରତ ଏବଂ ବଲିଉଡରେ ଲୋକପ୍ରିୟତା ହାସଲ କରିଛି, ଏଥିରେ ଆଶ୍ଚର୍ଯ୍ୟ ହେବାର ବିଷୟ ନାହିଁ।

ଏହା ବ୍ୟତୀତ ଫିଲ୍ମର ଟାଇଟଲ୍ ପୁଷ୍ପା ଦ ରୁଲ୍ ରଖାଯାଇଛି। ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ସାରିଛି। କିନ୍ତୁ ଉତ୍ତର ଭାରତର ଏଙ୍ଗେଲ୍ ଆସିବା ପରେ ନିର୍ମାତା ଫିଲ୍ମର ସ୍କ୍ରିପ୍ଟରେ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି। ଯଦ୍ଵାରା ଫିଲ୍ମର ବ୍ୟାପକ ପ୍ରଭାବ ପଡିପାରିବ। ଅନ୍ୟପଟେ ଫିଲ୍ମର ଦ୍ଵିତୀୟ ଭାଗରେ ଅଲ୍ଲୁ ଅର୍ଜୁନଙ୍କ ଚରିତ୍ରରେ କିଛିଟା ପରିବର୍ତ୍ତନ କରାଯାଇଛି।

ଫିଲ୍ମରେ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ବ୍ୟତୀତ ଏମିତି କିଛି କଳାକାର ରହିବେ ଯାହାଙ୍କୁ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ଫିଲ୍ମର ପ୍ରଥମ ଭାଗ ବମ୍ପର ଆୟ କରିଛି ଏବଂ ସମସ୍ତ ରେକର୍ଡ ନିଜ ନାମରେ କରି ସାରିଛି। ଫିଲ୍ମର ସମସ୍ତ ଗୀତ ଏବେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.