ମେକ୍ ଇନ ଓଡ଼ିଶା କନକ୍ଲେଭ, ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ମିଳିଲାନି ଏତେ କୋଟି ଟଙ୍କାର ପୁଞ୍ଜି ନିବେଶ, ଜାଣନ୍ତୁ ତୃତୀୟ ଦିନରେ କ'ଣ ମିଳିଲା

Published By : Prameya-News7 Bureau | December 02, 2022 IST

ଭୁବନେଶ୍ଵର: ଭୁବନେଶ୍ଵରରେ ଚାଲିଥିବା ମେକ୍ ଇନ ଓଡ଼ିଶା କନକ୍ଲେଭର ଆଜି ତୃତୀୟ ଦିନ। ଆଜି ଏ ଯାବତ ଶହ କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି ପାଇଛନ୍ତି ରାଜ୍ୟ ସରକାର। ଆଜି  ଫୋକସରେ ଥିଲା ଟେକ୍ସଟାଇଲ, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ ଭଳି ସେକ୍ଟର। ବିଶେଷ କରି ରାଜ୍ୟ ସରକାର ନୂଆ ବୟନଶିଳ୍ପ ନୀତି ଆଣିଥିବା ବେଳେ ଏଥିପାଇଁ ଚୌଦ୍ବାରର ଓଟିଏମ ସ୍ଥାନକୁ ଚିହ୍ନଟ କରିଥିବା ସୂଚନା ଦେଇଛନ୍ତି।

ଚୌଦ୍ୱାରରେ ହେବ ଟେକ୍ସଟାଇଲ ପାର୍କ। ଆସିଲା ନୂଆ ଟେକ୍ସଟାଇଲ ପଲିସି। ମେକ୍‌ ଇନ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାର କଲେ ଘୋଷଣା । ଚୌଦ୍ୱାରର ଯେଉଁଠାରେ ଥିଲା OTM ଲୁଗାକଳ ସେହି ସ୍ଥାନରେ ଏହି ଟେକ୍ସଟାଇଲ ପାର୍କ ହେବ । ଓଟିଏମଠାରୁ ଇଡକୋ ଫେରାଇ ନେଇଥିବା ୫୨୧ ଏକର ଜମି ଏଥିପାଇଁ ଉପଯୋଗ କରାଯିବ। ଏହି ପାର୍କରେ ପ୍ରାୟ ୮୦ଟି ସଂସ୍ଥା ନିଜର ୟୁନିଟ ପ୍ରତିଷ୍ଠା କରିପାରିବେ। ଏଥିପାଇଁ ରାଜ୍ୟ ସରକାର ମେକ ଇନ ଓଡ଼ିଶା କନକ୍ଲେଭରେ ସୂଚନା ଦେଇଥିବା ବେଳେ ନୂଆ ବୟନଶିଳ୍ପ ନୀତିର ଖୁଲାସା କରିଛନ୍ତି। 

ନୂଆ ନୀତି ଅଧୀନରେ ପୁଞ୍ଜି ନିବେଶ କ୍ଷେତ୍ରରେ ନିବେଶକଙ୍କୁ ୪୦% ବା ସର୍ବାଧିକ ୫୦ କୋଟି ଯାଏଁ ସବସିଡି ଦିଆଯିବ । ପୁରୁଷ ଶ୍ରମିକଙ୍କୁ ନିଯୁକ୍ତ କଲେ ଜଣ ପିଛା ୫୦୦୦ ଟଙ୍କା, ମହିଳାଙ୍କ କ୍ଷେତ୍ରରେ ୬ ହଜାର ଟଙ୍କା ସବସିଡ ଦିଆଯିବ । ଟେକ୍ସଟାଇଲ ନୀତିରେ ରାଜ୍ୟ ସରକାର ଦେଉଥିବା ସୁବିଧା ଦେଶରେ ସର୍ବାଧିକ। ସେହିପରି ରାଜ୍ୟରେ ୨୦୦ କୁଶଳୀ ଶ୍ରମିକଙ୍କୁ ନେଇ ସ୍ଥାପନ ହେଉଥିବା ହସ୍ତତନ୍ତ କାରଖାନାରେ ୯୦% ଓଡ଼ିଆ ନିଯୁକ୍ତ ହେଲେ ସବସିଡି ଦେବେ ରାଜ୍ୟ ସରକାର ।

ମେକ୍ ଇନ୍ ଓଡ଼ିଶାର ତୃତୀୟ ଦିନ ଫୋକସରେ ଥିଲା ଟେକ୍ସଟାଇଲ, ପେଟ୍ରୋ  କେମିକାଲ, ପ୍ଲାଷ୍ଟିକ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ । ଟେକ୍ସଟାଇଲ କ୍ଷେତ୍ରରେ ପ୍ରାୟ ୨ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ନିବେଶକ ଆଗ୍ରହ ଦେଖାଇଛନ୍ତି । ଇଣ୍ଡୋ ରାମା କମ୍ପାନି ଓଡ଼ିଶାରେ ସ୍ପିନିଂ ମିଲ ବସାଇବାକୁ ଯୋଜନା କରିଛି । ଏଥିପାଇଁ କମ୍ପାନି ରାଜ୍ୟରେ ୭୦୦ କୋଟି ଟଙ୍କା ନିବେଶ ଲାଗି ଯୋଜନା କରିଛି। ଜକି ବ୍ରାଣ୍ଡ ନାମରେ ପରିଚିତ ପେଜ ଇଣ୍ଡଷ୍ଟ୍ରିଜ୍ ରାମଦାସପୁରରେ ନିଜ ପ୍ରକଳ୍ପ ସମ୍ପ୍ରସାରଣ ଲାଗି ପ୍ରାୟ ୪୦୦ କୋଟି ଟଙ୍କା ନିବେଶ ଲାଗି ଆଗ୍ରହ ପ୍ରକାଶ କରିଛି । ଏବେ ରାମଦାସପୁରରେ ୫୧୦ କୋଟି ଟଙ୍କା ପୁଞ୍ଜିନିବେଶରେ ଜକି ଇନରୱେର ପ୍ରକଳ୍ପ ସ୍ଥାପନ କରୁଛି, ଯାହା ଆସନ୍ତା ଏପ୍ରିଲ ମାସରୁ କାର୍ଯ୍ୟକ୍ଷମ ହେବ ।

ରାଜ୍ୟର ଏମଏସଏମଇ କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଆଜି ପାଖାପାଖି ୧୦୦ରୁ ଅଧିକ କମ୍ପାନି ଆଗ୍ରହ ଦେଖାଇଛନ୍ତି । ପ୍ଲାଷ୍ଟିକ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶ ଲାଗି ଆଗ୍ରହ ଦେଖାଇଛନ୍ତି ଅନେକ କମ୍ପାନି । ମେକ ଇନ ଓଡ଼ିଶା ଆସନ୍ତାକାଲି ଶେଷ ହେବ । ଏଥର ମେକ୍‌ ଇନ ଓଡ଼ିଶା ରାଜ୍ୟସରକାରଙ୍କୁ ବିପୁଳ ଶିଳ୍ପ ସମ୍ଭାବନା ଆଣିବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.