ଅବୈଧ ସମ୍ପର୍କକୁ ପୁଣି ଥରେ ଅପରାଧ ଘୋଷଣା କରାଯାଉ; କେନ୍ଦ୍ରକୁ ସ୍ଥାୟୀ ପ୍ୟାନେଲର ସୁପାରିଶ, ବଦଳିବ କି SCଙ୍କ ରାୟ ?

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ: ଅବୈଧ ସମ୍ପର୍କକୁ ପୁଣି ଥରେ ଅପରାଧ ଘୋଷଣା କରିବା ଦରକାର କାରଣ ବିବାହ ପବିତ୍ର ଅଟେ ଓ ଏହାର ରକ୍ଷା କରିବା ଦରକାର । ଭାରତୀୟ ନ୍ୟାୟ ସଂହିତା ଉପରେ ସରକାରଙ୍କୁ ଏହି ପରାମର୍ଶ ଦେଇଛି ସଂସଦୀୟ ପ୍ୟାନେଲ । ଏହି ବିଲ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଦ୍ୱାରା ସେପ୍ଟେମ୍ୱରରେ ଆଗତ କରାଯାଇଥିଲା । ଏହି କମିଟି ଅବୈଧ ସମ୍ପର୍କ ସହ ହୋମସେକ୍ସୁଆଲିଟିକୁ ମଧ୍ୟ ଅପରାଧ ଘୋଷଣା କରିବା ପାଇଁ ସୁପାରିଶ କରିଛି । ସଂସଦୀୟ କମିଟି ଏହା ମଧ୍ୟ କକହିଛନ୍ତି ଯେ ଏହାକୁ ଜେଣ୍ଡର ନ୍ୟୁଟ୍ରଲ ଅପରାଧ ଧରାଯିବା ଦରକାର । ଅର୍ଥାତ୍ ପୁରୁଷ ଓ ମହିଳା ଉଭୟଙ୍କୁ ସମାନ ରୂପେ ଉତ୍ତରଦାୟୀ ଧରାଯିବା ଦରକାର । ଯଦି ପ୍ୟାନେଲର ଏହି ରିପୋର୍ଟ ସରକାରଙ୍କ ଦ୍ୱାରା ସ୍ୱୀକାର କରାଯାଏ ତେବେ ୨୦୧୮ର ସୁପ୍ରିମକୋର୍ଟଙ୍କ ରାୟର ବିରୋଧଭାସ ହେବ । ୨୦୧୮ରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ନିଜ ରାୟରେ କହିଥିଲେ ଯେ ଅବୈଧ ସମ୍ପର୍କ ଅପରାଧ ହୋଇପାରିବ ନାହିଁ ଓ ଏହା ନହେବା ମଧ୍ୟ ଦରକାର ।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସେପ୍ଟେମ୍ୱରରେ କ୍ରିମିନାଲ୍ ଜଷ୍ଟିସ୍ ସିଷ୍ଟମକୁ ମଜଭୁତ କରିବା ପାଇଁ ଲୋକସଭାରେ ତିନି ବିଲ୍ ଉପସ୍ଥାପନ କରିଥିଲେ । ଏହାର ନାଁ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ବିଧେୟକ ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା ରଖାଯାଇଛି । ଗୃହମନ୍ତ୍ରୀଙ୍କ ଅନୁସାରେ ଏହି ଆଇନକୁ ଲାଗୁ କରିବା ପରେ ନ୍ୟାୟ ପ୍ରକ୍ରିୟାରେ ଗତି ଆସିବ । ଏହାପରେ ବିଲ୍‌କୁ ସ୍କୁଟନୀ ପାଇଁ ବିଜେପି ସାଂସଦ ବୃଜ ଲାଲଙ୍କ ଅଧ୍ୟକ୍ଷତାରେ ଗୃହ ମାମଲାର ସ୍ଥାୟୀ କମିଟି ନିକଟକୁ ପଠାଯାଇଥିଲା । ତେବେ କଂଗ୍ରେସ ସାଂସଦ ପି.ଚିଦାମ୍ୱରମ ଏହା ଉପରେ ଆପତ୍ତି ଉଠାଇଥିଲେ । ସେ କହିଥିଲେ ଯେ ସରକାରଙ୍କୁ କୌଣସି ଦମ୍ପତ୍ତିଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ। ଏହାସହ ସେ ଏହା ମଧ୍ୟ କହିଥିଲେ ଯେ ଏହି ତିନି ବିଲ୍‌ରେ ବଡ଼ ପରିମାଣରେ ବର୍ତ୍ତମାନ ଆଇନର କପି ପେଷ୍ଟ ରହିଛି ।

ପଢନ୍ତୁ: ଡିସେମ୍ୱର ୪ରୁ ସଂସଦର ଶୀତ ଅଧିବେଶନ, ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ହୋଇପାରେ ଆଲୋଚନା

ଉଲ୍ଲେଖଯୋଗ୍ୟ ଯେ ୨୦୧୮ରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଅବୈଧ ସମ୍ପର୍କ ଉପରେ ନିଷ୍ପତ୍ତି ଶୁଣାଣିଥିଲେ । ଖଣ୍ଡପୀଠ କହିଥିଲେ ଯେ ଅଡଲଟରୀ ଛାଡପତ୍ରର ଆଧାର ହୋଇପାରେ, କିନ୍ତୁ ଏହା କୌଣସି ଅପରାଧ ନୁହେଁ । କୋର୍ଟ କହିଥିଲେ ଯେ ଏହା ୧୬୩ ବର୍ଷ ପୁରୁଣା, ଉପନିବେଶବାଦ ସମୟର ଆଇନ । ସୁପ୍ରିମକୋର୍ଟ ଏହି ଆଇନକୁ ପୁରୁଣା, ମନମାନି ବୋଲି କହିଥିଲେ । ଏହା ମହିଳାଙ୍କ ସ୍ୱାୟତ୍ତତା ଓ ଗାରିମାର ଉଲ୍ଲଂଘନ କରୁଛି ବୋଲି କହିଥିଲେ ।

୨୦୧୮ରେ ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ଆଇନ ଥିଲା ଯଦି କୌଣସି ପୁରୁଷ, ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ବିନା ଅନୁମତିରେ ସମ୍ପର୍କ ସ୍ଥାପନ କରନ୍ତି ତେବେ ତାଙ୍କୁ ୫ ବର୍ଷ ଜେଲ୍ ହୋଇପାରେ । ତେବେ ଏହି ମାମଲାରେ ମହିଳାଙ୍କୁ ଦଣ୍ଡ ନମିଳିବା ପ୍ରାବଧାନ ଥିଲା । କିନ୍ତୁ ଏବେ ଗୃହ ମାମଲାର ସ୍ଥାୟୀ କମିଟି ଅଡଲଟରୀ ଆଇନ ବଦଳାଇ ଅପରାଧ ଶ୍ରେଣୀରେ ସାମିଲ କରିବାକୁ ଚାହୁଁଛି । ଏହାର ଅର୍ଥ ପୁରୁଷ ଓ ମହିଳା ଉଭୟଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ ।  

Also Read: ‘ଶେଷ ହେବ ରାଜଦ୍ରୋହ ଆଇନ’, ଲୋକସଭାରେ CrPC ସଂଶୋଧନ ବିଲ୍ ଆଗତ କଲେ ଗୃହମନ୍ତ୍ରୀ ଅମିତ୍ ଶାହ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.