ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିଥାଏ ମହାସାଗର । ମଣିଷ ଦ୍ୱାରା ନିର୍ଗମନ ଅଙ୍ଗାରକାମ୍ଳର ଏକ ଚତୁର୍ଥାଂଶ ବିଶ୍ୱର ମହାସାଗରଗୁଡ଼ିକ ଅବଶୋଷନ କରିଥା’ନ୍ତି । ସେହିପରି ଅତିରିକ୍ତ ତାପମାତ୍ରାର ୯୦% ପର୍ଯ୍ୟନ୍ତ ଅବଶୋଷନ କ୍ଷମତା ମହାସାଗରଗୁଡ଼ିକର ରହିଛି । ପୃଥିବୀ ପାଇଁ ଆବଶ୍ୟକ ଅମ୍ଳଜାନର ଅଧା ମହାସାଗର ସୃଷ୍ଟି କରି ପାଣିପାଗର ଢାଞ୍ଚାକୁ ସଞ୍ଚାଳନ କରିଥାନ୍ତି । କିନ୍ତୁ ଗତ ବର୍ଷ ମହାସାଗରରେ ଅଦ୍ୟାବଧି ସବୁଠୁ ଚିନ୍ତାଜନକ ଘଟଣା ନଜରକୁ ଆସିଛି ।
ସମୁଦ୍ର ପୃଷ୍ଠର ତାପମାତ୍ରା ଦ୍ରୁତଗତିରେ ବଢ଼ିଛି । ଗତ ବର୍ଷକ ମଧ୍ୟରେ ସମୁଦ୍ର ତାପମାତ୍ରାରେ ରେକର୍ଡ ବୃଦ୍ଧି ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି । ଜଳବାୟୁ ଉପରେ ମନୁଷ୍ୟକୃତ ପ୍ରଭାବର ପରିଣାମ ସମୁଦ୍ର ଏବଂ ଏହା ଭିତରେ ଥିବା ଜୀବଜଗତ ଭୋଗୁଛନ୍ତି । ଏବେ ମହାସାଗର ଜଳବାୟୁଜନିତ ଅତିରିକ୍ତ ପରିବର୍ତ୍ତନ ସହ ଖାପ ଖୁଆଇବାକୁ ସଂଘର୍ଷ କରୁଥିବା ଭଳି ଚିନ୍ତାଜନକ କଥା ବୈଜ୍ଞାନିକମାନେ ନିରୀକ୍ଷଣ କରିଛନ୍ତି । ଏଥିଯୋଗୁ ସମୁଦ୍ରପୃଷ୍ଠ ଅତିମାତ୍ରାରେ ଉତ୍ତପ୍ତ ହେଉଛି । ସମୁଦ୍ର ପୃଷ୍ଠର ତାପମାତ୍ରା ଚଳିତ ସପ୍ତାହରେ ୨୦୧୬ ମସିହାର ଏକ ରେକର୍ଡ ଭାଙ୍ଗିଛି । ଚଳିତ ବର୍ଷ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ୨୦.୯୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିଛି । ଅଙ୍ଗାରକାମ୍ଳ ଶୋଷଣ କରିବାରେ ଗରମ ପାଣିର କ୍ଷମତା କମ୍ ରହିଥାଏ । ଅର୍ଥାତ୍ ପୃଥିବୀ ତାପମାତ୍ରା ବୃଦ୍ଧି କରୁଥିବା ଏହି ଗ୍ୟାସ୍ ବାୟୁମଣ୍ଡଳରେ ହିଁ ରହିଯାଏ । ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ସିଧାସଳଖ ଗା୍ଲସିଅର ବା ହିମପାହାଡ଼ ତରଳିବାର ପ୍ରମୁଖ କାରଣ ପାଲଟିଥାଏ । ଗ୍ଲାସିଅର ତରଳିବା ଯୋଗୁ ସମୁଦ୍ରପତ୍ତନ ବୃଦ୍ଧି ଘଟିଥାଏ, ଯାହା କି ଜୀବଜଗତ ପାଇଁ ବିପଜ୍ଜନକ ।
ସେହିପରି ଗ୍ରୀଷ୍ମ ପ୍ରବାହ ଏବଂ ଉତ୍ତପ୍ତ ସାଗର ଯୋଗୁ ସମୁଦ୍ରର ଜୀବଜଗତ ତଥା ଜୈବ ବିବିଧତା ପ୍ରଭାବିତ ହୋଇଛି । ମାଛ, ତିମି ଓ ଅନ୍ୟ ପ୍ରଜାତିର ଜଳଜୀବ ଗରମ ସ୍ଥାନରୁ ଥଣ୍ଡା ସ୍ଥାନକୁ ଯିବା ଲାଗି ବାଟ ଖୋଜିଥାନ୍ତି । ଏଥିଯୋଗୁ ମାଛ ଭଳି ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟର ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଶାର୍କ ସମେତ ଅନ୍ୟ ଶିକାରୀ ଜଳଜୀବ ତାପମାତ୍ରା ବୃଦ୍ଧି ଯୋଗୁ ଦ୍ୱନ୍ଦ୍ୱରେ ପଡ଼ି ଆକ୍ରମଣାତ୍ମକ ହୋଇପଡ଼ିଥାନ୍ତି । ପ୍ରଦୂଷଣ, ମାତ୍ରାଧିକ ମତ୍ସ୍ୟଶିକାର ଭଳି କାର୍ଯ୍ୟକଳାପ ଜନିତ ସାମୁଦ୍ରିକ ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ଯୋଗୁ ମହାସାଗରଗୁଡ଼ିକ ଅସ୍ୱାଭାବିକ ସ୍ଥିତିର ସାମ୍ନା କରୁଥିବା ବ୍ରିଟେନ ବୈଜ୍ଞାନିକ ଡ. ମାଟ୍ ଫ୍ରୋଷ୍ଟ କହିଛନ୍ତି ।
ଅନ୍ୟପଟେ ଏଲ୍ ନିନୋ ପ୍ରଭାବ ଏବଂ ଅତ୍ୟଧିକ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ମଧ୍ୟ ସମୁଦ୍ରପୃଷ୍ଠର ତାପମାତ୍ରା ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ବୋଲି ବୈଜ୍ଞାନିକମାନେ କହୁଥିବାବେଳେ ଏହା ପଛର ଅନ୍ୟ କାରଣଗୁଡ଼ିକର ଖୋଜା ଚାଲିଛି । ଆଗାମୀ ଦିନରେ ଏଲ୍ ନିନୋ ପ୍ରଭାବ ଯୋଗୁ ସମୁଦ୍ର ପୃଷ୍ଠର ତାପମାତ୍ରା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଇଛି । ୨୦୨୩ ଜୁନ୍ରେ ବ୍ରିଟେନରେ ହାରାହାରି ସାମୁଦ୍ରିକ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲ୍ସିୟସ ବଢ଼ିଥିଲା । ସେହିପରି ଗତ ସପ୍ତାହରେ ଫ୍ଲୋରିଡାରେ ଏହି ତାପମାତ୍ରା ୩୮.୪୪ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ପହଞ୍ଚିଥିଲା । ନ୍ୟାସନାଲ ଓସେନ ଆଣ୍ଡ୍ ଆଟ୍ମୋସ୍ପିୟରିକ୍ ଆଡମିନିଷ୍ଟ୍ରେଶନ (ଏନ୍ଓଏଏ)ର କହିବା ଅନୁସାରେ, ସାଧାରଣତଃ ଏହି ତାପମାତ୍ରା ୨୩ ଡିଗ୍ରୀରୁ ୩୧ ଡିଗ୍ରୀ ସେଲ୍ସିୟମ ମଧ୍ୟରେ ରହିବା କଥା । ୧୯୮୨ରୁ ୨୦୧୬ ମଧ୍ୟରେ ସାମୁଦ୍ରିକ ଗ୍ରୀଷ୍ମ ପ୍ରବାହ ଦ୍ୱିଗୁଣିତ ହୋଇଥିଲା । ବାୟୁମଣ୍ଡଳ ତାପମାତ୍ରା ବିଗତ କିଛି ବର୍ଷ ମଧ୍ୟରେ ନାଟକୀୟ ଭାବେ ବଢ଼ିଚାଲିଛି । କିନ୍ତୁ ମହାସାଗରଗୁଡ଼ିକ ଉତ୍ତପ୍ତ ହେବା ଲାଗି ସମୟ ନେଇଥାନ୍ତି । ହେଲେ ଏବେ ବାୟୁମଣ୍ଡଳ ସହ ସମାନ୍ତରାଳ ଭାବେ ମହାସାଗରର ତାପମାତ୍ରା ବୃଦ୍ଧି ପାଇବା ଦିଗରେ ଆଗକୁ ବଢ଼ୁଛି ।
ଯଦି ଏପରି ଭାବେ ସମୁଦ୍ରପୃଷ୍ଠର ତାପମାତ୍ରା ବୃଦ୍ଧି ପାଏ ତେବେ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ିବ ଏବଂ ଭୟଙ୍କର ଝଡ଼ବାତ୍ୟା, ବନ୍ୟା ସୃଷ୍ଟି ହେବ । ୨୦୨୩ରେ ବିଶ୍ୱ ଏପରି ଅସ୍ୱାଭାବିକ ବିପର୍ଯ୍ୟୟର ସାମ୍ନା କରିଥିଲା । ନିକଟରେ ସାମୁଦ୍ରିକ ତାପମାତ୍ରା ହ୍ରାସ ପାଇବାର କୌଣସି ସଙ୍କେତ ଦେଖାଯାଉନି । ଜାତିସଂଘର ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନର ଏକ ରିପୋର୍ଟ ଅନୁସାରେ, ୨୦୨୩ରେ ବୈଶ୍ୱିକ ମହାସାଗରରେ ସାମୁଦ୍ରିକ ଗ୍ରୀଷ୍ମ ଲହର ୩୨ ପ୍ରତିଶତ ଅଧିକ ଅନୁଭୂତ ହୋଇଥିଲା, ଯାହା କି ୨୦୧୬ର ଏକ ରେକର୍ଡ ଭଙ୍ଗ କରିଛି । ୨୦୨୬ରେ ସାମୁଦ୍ରିକ ଗ୍ରୀଷ୍ମ ଲହରରେ ୨୩% ବୃଦ୍ଧି ଘଟିଥିଲା । ରିପୋର୍ଟ ଅନୁଯାୟୀ, ଗତବର୍ଷ ସାମୁଦ୍ରିକ ତାପମାତ୍ରା ବିଶେଷ କରି ଉତ୍ତର ଆଟ୍ଲାଣ୍ଟିକ ଏବଂ ଭୂମଧ୍ୟ ସାଗରରେ ବ୍ୟାପକ ରହିଥିଲା ।