ବଢ଼ୁଛି ସଂକ୍ରମଣ କମୁଛି ଟେଷ୍ଟ: ଗାଇଡ୍ଲାଇନ୍ ଜାରି କରି ଟେଷ୍ଟିଂ ବଢ଼ାଇବାକୁ କହିଲା ସ୍ୱାସ୍ଥ୍ୟମନ୍ତ୍ରାଳୟ
25/03/2023 at 5:49 PM

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଏଥିରେ ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସରକାର ମଧ୍ୟ ରାଜ୍ୟମାନଙ୍କରେ କୋଭିଡ୍ ଟେଷ୍ଟ କମ୍ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜାରି ହୋଇଥିବା ନୂଆ ଗାଇଡ୍ଲାଇନ୍ରେ କୁହାଯାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ଥିର କରିଥିବା ସାଧାରଣ ଟେଷ୍ଟିଂ ମାନକ ଠାରୁ ବି କିଛି ରାଜ୍ୟରେ ଗତ କିଛି ସପ୍ତାହ ହେଲା କମ୍ ଟେଷ୍ଟିଂ ହେଉଛି। ଫଳରେ ରୋଗୀ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି। କିଛି କିଛ ସ୍ଥାନରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଟେଷ୍ଟିଂରେ ଭିନ୍ନତା ଦେଖିବାକୁ ମିଳୁଛି। କିଛି ରାଜ୍ୟରେ ଆଣ୍ଟିଡେନ୍ ଟେଷ୍ଟ ବହୁତ କମ କରାଯାଉଛି। ଫଳରେ ସଂକ୍ରମଣ ବିଷୟରେ ଜଣାପଡ଼ୁ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ୍ରେ କହିଛି।
ଗାଇଡ୍ଲାଇନ୍ରେ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ହଟ୍ସ୍ପଟ୍ ଖୋଜିବା ସବୁଟାରୁ ଗୁରୁତ୍ୱପୂର୍ଣ୍ଣ। ଭାଇରସକୁ ରୋକିବାକୁ ଆଗୁଆ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ତା ସହିତ ସମସ୍ତ କୋଭିଡ ନିୟମ ପାଳନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରି ସୂଚନା ଦିଆଯାଇଛି।
ଦେଶରେ ୧୪୦ ଦିନରେ ଆଜି ସର୍ବାଧିକ ପଜିଟିଭି ଚିହ୍ନଟ
ଗତ ୧୪୦ ଦିନ ପରେ ଆଜି ସର୍ବାଧିକ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୧୫୯୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସକ୍ରିୟ ସଂଖ୍ୟା ୮,୬୦୧କୁ ବୃଦ୍ଧି ପାଇଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦେଶରେ ସଂକ୍ରମଣ ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଚିଛି।
ଶନିବାର ଦେଶରେ ୯୧୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୪୧,୬୨,୮୩୨ ହୋଇଛି। ସୁସ୍ଥ ହାର ରହିଛି ୯୮.୭୯ ପ୍ରତିଶତ। ମୋଟ ମୃତ୍ୟୁ ହାର ରହିଛି ୧.୧୯ ପ୍ରତିଶତ। ବର୍ତ୍ତମାନ ଦୈନିକ ସକ୍ରିୟ ହାର ୧.୨୨ ରହିଥିବା ବେଳେ ସାପ୍ତାହିକ ସକ୍ରିୟ ହାର ୧.୨୩ ପ୍ରତିଶତ ରହିଛି।
ସେହିପରି ଟିକାକରଣ ନେଇ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଧା ଦେଶରେ ୨୨୦,୬୫ କୋଟି କୋଭିଡ୍ ଡୋଜ୍ ଦିଆଯାଇଛି। ଦିନକରେ ୯୨.୦୮ କୋଟି ଟେଷ୍ଟ କରାଯାଇଥିବା ବେଳେ ବର୍ତ୍ତମାନ ସୁଧା ମୋଟ ୧,୧୯,୫୬୦ କୋଭିଡ୍ ଟେଷ୍ଟ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।