ମେଦିନାପୁର ବାଣ ବିସ୍ଫୋରଣ ଘଟଣା : କଟକରେ ଚିକିତ୍ସାଧିନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ

Published By : Prameya-News7 Bureau | May 19, 2023 IST

କଟକ ୧୯।୫: ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଏଗ୍ରା ଥାନା ଅଞ୍ଚଳରେ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବାଣ କାରଖାନା ମାଲିକ ଭାନୁ ବାଗଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗତ ୧୬ତାରିଖ ବିଳମ୍ବିତ ରାତିରେ ଭାନୁଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ କଟକ ସଦର ଥାନା ଅନ୍ତର୍ଗତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଭାନୁଙ୍କ ଶରୀରର ୮୦ ପ୍ରତିଶତ ଅଂଶ ପୋଡିଯାଇଥିଲା । ଗୁରୁବାର କୋଲକାତା କ୍ରାଇମବ୍ରାଞ୍ଚର ଏକ ଟିମ୍ କଟକ ଆସି ଭାନୁଙ୍କୁ ଗିରଫ ଦର୍ଶାଇବା ସହ ତାଙ୍କ ସହ ଆସିଥିବା ଦୁଇ ଜଣଙ୍କୁ ଅଟକ ରଖି ସଦର ପୋଲିସ ସହାୟତାରେ ଗିରଫ କରିଥିଲା । ମୃତକଙ୍କ ଘର ପୂର୍ବ ମେଦିନାପୁର ଏଗ୍ରା ଥାନା ଅନ୍ତର୍ଗତ ଖାଦିପୁଲରେ ବୋଲି ଜଣାପଡିଛି ।

ଗତ ୧୬ ତାରିଖରେ ଭୁଲ ପରିଚୟ ଏବଂ ଠିକଣା ଦେଇ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଯୁକ୍ତ । ସମ୍ପର୍କୀୟଙ୍କ ଏକ କାର୍ଯ୍ୟକ୍ରମରେ ରୋଷେଇ କରୁଥିବା ବେଳେ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ସେ ଆହତ ହୋଇଛନ୍ତି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପରିବାର ଲୋକେ କହିଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । କୋଲକାତା ପୋଲିସ ଟିମ୍ ଏବଂ କଟକ କମିଶନରରେଟ ପୋଲିସ ଟିମ୍ ଘରୋଇ ହସ୍ପିଟାଲରେ ଅଛନ୍ତି । ଶୁକ୍ରବାର କଟକ ଏସସିବି ମେଡିକାଲ କଲେଜରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ଗୁରୁବାର ମୃତକଙ୍କ ପୁତୁରା ଇନ୍ଦ୍ରଜିତ ବାଗ ଏବଂ ପୁଅ ପ୍ରିଥିଜିତ ବାଗକୁ କଟକରୁ ଗିରଫ କରିଛି କୋଲକାତା ପୋଲିସ । କଟକ ସଦର ଥାନାରେ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.