ମହୁ ଆଣିବାକୁ ଚଢିଥିଲେ ଗଛରେ, ବିନ୍ଧି ମାରିଦେଲେ ମହୁମାଛି
5/09/2022 at 2:06 PM
ସାରଙ୍ଗଡ଼ ୦୫/୦୯: କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୁତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଚାଞ୍ଚେଡି ପଂଚାୟତର କେଲେମା ଗ୍ରାମରେ । ସୂଚନା ପ୍ରକାରେ, କେଲେମା ଗ୍ରାମର ଗୁଡ଼ି ନାୟକ ଗଛରୁ ମହୁ ବାହାର କରିବା ପାଇଁ ଏକ ଗଛରେ ଚଢ଼ିଥିଲେ l କିନ୍ତୁ ଦୁର୍ଭାଗ୍ୟ ବଶତଃ ମହୁମାଛି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଗୁଡିଙ୍କ ମୃତଦେହ ସେହି ଗଛ ଉପରେ ହିଁ ଝୁଲି ରହିଥିଲା । ସକାଳୁ କିଛି ଗ୍ରାମବାସୀ ଏହା ଦେଖି ଘରଲୋକଙ୍କୁ ଖବର ଦେଇଥିଲେ । ଘରଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହିତ ସାରଙ୍ଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ବାଳ ମଧ୍ୟ ପହଞ୍ଚି ଥିଲେ । ତେବେ ସଂପୃକ୍ତ ଅଞ୍ଚଳରେ ଅନେକ ମହୁମାଛି ବସା ଥିବାରୁ ଶବ ବାହାର କରିବାରେ ସମସ୍ୟା ଦେଖା ଦେଇଥିଲା ।
ଶେଷରେ ସାରଙ୍ଗଡ଼ ଦମକଳ ବାହିନୀ ଏବଂ ବନବିଭାଗ ସହାୟତାରେ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଡାକ୍ତରଖାନା ପଠାଇଥିଲେ । ଏ ବାବଦରେ ସାରଙ୍ଗଡ଼ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।