ଛାତରେ ଶୋଭାପାଉଛି ମହିନ୍ଦ୍ରା ସ୍କର୍ପିଓ ଆକୃତିର ପାଣିଟାଙ୍କି, ସୋସିଆଲ୍ ମିଡିଆରେ ହେଉଛି ଭାଇରାଲ୍
1/11/2020 at 11:04 PM

ପାଟଣା ୦୧/୧୧: ପ୍ରେମର ସୀମା ନଥାଏ କି ସ୍ମତି କେବେ ମରେନା। ଏକଥା ଆମେ କୌଣସି ପ୍ରେମ କାହାଣୀକୁ ଜଣାଇବା ପାଇଁ କହୁନୁ ବରଂ ଜଣେ ଲୋକର ନିଜ ଜିନିଷ ପ୍ରତି ଭଲ ପାଇବା ବଷୟରେ ଜଣାଇବାକୁ ଚେଷ୍ଟା କରୁଛୁ। ଜଣେ ଲୋକ ଘରଟିଏ ତିଆରି କଲା ବେଳେ କେତେ କଣ ଭାବେ। କେମିତି ଘରର ଡିଜାଇନ୍ ହେବ ?କେଉଁ ରଙ୍କ ଦେଲେ ବିଲ୍ଡିଂ ସୁନ୍ଦର ଲାଗିବ ? ଏଭଳି ଅନେକ ପ୍ରଶ୍ନ ତା ମନକୁ ଆସେ। କିନ୍ତୁ ଏଭଳି ଜଣେ ବ୍ୟକ୍ତି ଯିଏକି ନିଜ ଘରର ଛାତ ଉପରେ ତିଆରି କରିଛନ୍ତି ମହିନ୍ଦ୍ରା ସ୍କର୍ପିଓ ଆକୃତିର ପାଣିଟାଙ୍କି।
ଏଭଳି ଏକ ଦୃଶ୍ୟ ବିହାରର ଭାଗଲପୁରରୁ ସାମ୍ନାକୁ ଆସିଛି। ଘର ମାଲିକ ଇନ୍ତେସାର ଆଲମ ତିନି ତାଲା ବିଲ୍ଡିଂ ଉପରେ ପାଣିଟାଙ୍କି ତିଆରି କରିଛନ୍ତି ଯାହାକି ଅବିକଳ ମହିନ୍ଦ୍ରା ସ୍କର୍ପିଓ ଭଳି ଦେଖାଯାଉଛି। ତେବେ ଏହି ମହିନ୍ଦ୍ରା ସ୍କର୍ପିଓ ଆକୃତିର ପାଣିଟାଙ୍କି ଘରର ମୁକୁଟ ଭଳି ମଧ୍ୟ ଦେଖାଯାଉଛି। ଏହାସହ ଟାଙ୍କିରେ ଲାଗିଛି ନମ୍ବର ପ୍ଲେଟ୍। ତେବେ ଏହି ସ୍ପର୍ପିଓର ନମ୍ବର ଇନ୍ତେସାର କିଣିଥିବା ପ୍ରଥମ ସ୍ପର୍ପିଓର ନମ୍ବର ସହ ସମାନ। ତେବେ ନିଜର ପ୍ରଥମ କାରକୁ ଏତେ ଭଲପାଉଥିଲେ ଯେ ନିଜ ଘରର ପାଣିଟାଙ୍କି ବି ସେହିଭଳି ତିଆରି କରିଦେଲେ ଇନ୍ତେସାର।
ଇନ୍ତେସାରଙ୍କ ପତ୍ନୀ ଆଗ୍ରା ବୁଲିବାକୁ ଯାଇଥିଲେ । ସେଠାରେ ଏକ ଘର ଉପରେ ଏଭଳି ପାଣିଟାଙ୍କି ଦେଖି ତାଙ୍କ ସ୍ବାମୀଙ୍କୁ କହିଥିଲେ। ପରେ ଇନ୍ତେସାରଙ୍କ ମନକୁ ଉପାୟ ଆସିଥିଲା ମହିନ୍ଦ୍ରା ସ୍କର୍ପିଓ ଆକୃତିର ପାଣିଟାଙ୍କି କରିବାକୁ। ପରେ ଆଗ୍ରାରୁ କାରିଗର ଡାକି ନିଜର ୩ ମହଲା କୋଠା ଉପରେ ତିଆରି କରିଦେଲେ ମହିନ୍ଦ୍ରା ସ୍କର୍ପିଓ ଭଳି ପାଣିଟାଙ୍କି। ଏବେ ଏହି ଟାଙ୍କି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବହୁ ୟୁଜର ମହିନ୍ଦ୍ରା ଗ୍ରୁପ୍ର ମାଲିକ ଆନନ୍ଦ ମହିନ୍ଦ୍ରାଙ୍କୁ ଟ୍ୟାଗ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।