ଘର ଭିତରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

Published By : Prameya-News7 Bureau | November 29, 2020 IST

ଦିଗପହଣ୍ଡି୨୯/୧୧: ଦିଗପହଣ୍ଡି ମେନ୍ ରୋଡ କାନରା ବ୍ୟାଙ୍କ ସମ୍ମୁଖରେ ଥିବା ଏକ ଘର ଭିତରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଦିଗପହଣ୍ଡି ପୋଲିସ ରବିବାର ରାତି ପ୍ରାୟ ସାଢେ଼ ୮ ଟାରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ହେଲେ ଲାଡି ଗାଁର ଚିତ୍ତରଞ୍ଜନ ସେଠୀଙ୍କ ପତ୍ନୀ ସୁଜାତା ସେଠୀ। ପୋଲିସ ସ୍ଵାମୀ ଚିତ୍ତରଞ୍ଜନଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି।

ଲାଡ଼ି ଗାଁର ସହଦେବ ସେଠୀଙ୍କ ପୁତ୍ର ଚିତ୍ତରଞ୍ଜନ ୨୦୧୭ ରେ ସେହି ଗାଁର ସନ୍ତୋଷ ସେଠୀଙ୍କ କନ୍ୟା ସୁଜାତାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରଠାରୁ ସୁଜାତାଙ୍କୁ ଶ୍ବଶୁର ଘର ଲୋକେ ଯୌତୁକ ନିର୍ଯାତନା ଦେଉଥିବା ସୁଜାତାଙ୍କ ବାପା ସନ୍ତୋଷ ପୋଲିସ ନିକଟରେ ବୟାନ ଦେଇଛନ୍ତି।

ସୁଜାତା ପ୍ରାୟ ୮ ମାସର ଅନ୍ତଃସ୍ଵତ୍ତା ଥିଲେ। ରବିବାର ସନ୍ଧ୍ୟାରେ ସ୍ବାମୀ ସ୍ତ୍ରୀଙ୍କ ସହ କୌଣସି କାରଣରୁ ପାଟି ତୁଣ୍ଡ ହୋଇଥିଲା ବୋଲି ସାହିପଡିଶା ଲୋକେ ପୋଲିସକୁ କହିଛନ୍ତି।  କୌଣସି କାରଣରୁ ସୁଜାତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ଲୋକେ ପୋଲିସକୁ କହିଛନ୍ତି। ଅନ୍ୟପଟେ ସୁଜାତାଙ୍କୁ ସ୍ଵାମୀ ଓ ଶ୍ୱଶୁର ଘର ଲୋକେ ମିଶି ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.