ଦାଦନ ଖଟିବାକୁ ଯାଇଥିଲେ, ଗାଁକୁ ଫେରିଲା ମହିଳାଙ୍କ ମୃତଦେହ

Published By : Prameya-News7 Bureau | May 22, 2021 IST

ମାଲକାନଗିରି,୨୨/୦୫:    ଶ୍ରମିକ ଭାବେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ ଶବ ହୋଇ ଘରକୁ ଫେରିଲେ । ମାଲକାନଗିରି ଜିଲ୍ଲାରେ ଥମୁନାହି ଦାଦନ ଶ୍ରମିକଙ୍କ ଏମିତି ଦୁଃଖ ।

ସୂଚନା ଅନୁସାରେ, ତାର୍ଲ୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଏକ ଗରିବ ଆଦିବାସୀ ପରିବାର ପେଟର ଭୋକ ମେଣ୍ଟାଇବା ଲାଗି ଦାଦନ ଖଟିବାକୁ ଯାଇଥିଲେ ତେଲେଙ୍ଗାନା । କିନ୍ତୁ କାମ କରି ଅର୍ଥ ରୋଜଗାର କରିବେ କଣ ବରଂ ଶବ ହୋଇ ଘରକୁ ଫେରିଲେ ଯମୁନା ଖରା ନାମକ ଜଣେ ମହିଳା । ସେ ନିଜ ସ୍ବାମୀ ଓ ପୁଅଙ୍କ ସହ ଏକ ତେଲ କମ୍ପାନୀରେ କାମ କରୁଥିଲେ ।  ତେବେ ତେଲ ବାହାରିବା କଳ ଚାଲୁଥିବା ସମୟରେ କୂଅ ଭିତରେ ପଡିଯାଇଥିଲେ ଯମୁନା ଖରା । ତେଲ କମ୍ପାନି ପକ୍ଷରୁ ତୁରନ୍ତ ତାଙ୍କୁ କୂଅ ଭିତରୁ ବାହାର କରାଯାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା । କିନ୍ତୁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ଯମୁନା ପ୍ରାଣ ହରାଇଥିଲେ ।

ମୃତ୍ୟୁ ପରେ କମ୍ପାନୀ ଏକ ଗାଡିରେ ମୃତଦେହ ତାଙ୍କ ନିଜ ଘର ମାଲକାନଗିରି ଜିଲ୍ଲାର କେନ୍ଦୁଗୁଡା ପର୍ଯ୍ୟନ୍ତ ଆଣି ଛାଡିଥିଲା । ତେବେ କେତେ ଶ୍ରମିକ ବାହାର ରାଜ୍ୟକୁ ଗଲେ ଆଉ କେତେ ଫେରିଲେ ତାହାର କିନ୍ତୁ କୌଣସି ହିସାବ ମାଲକାନଗିରି ଜିଲ୍ଲା ପ୍ରଶାସନ ପାଖରେ ନଥିବାରୁ ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.