ନୂଆଦିଲ୍ଲୀ ୧୪/୦୭: ମହିଳା ହକି ବିଶ୍ୱକପ୍ରେ ଭାରତ ବୁଧବାର ଶେଷ ପୋଜିସନ୍ ମ୍ୟାଚ୍ରେ (୯ରୁ୧୬ତମ ସ୍ଥାନ) ଜାପାନକୁ ୩-୧ ଗୋଲରେ ପରାଜିତ କରିଛି । ଏଥିସହ ଦଳର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି ।
ମ୍ୟାଚ୍ରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଥିଲା । ଯଦିଓ ଜାପାନ ଆରମ୍ଭରୁ ଆକ୍ରମଣ କରି ୨୦ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିଲା । କିନ୍ତୁ ଭାରତୀୟ ଖେଳାଳି ପରବର୍ତ୍ତୀ ସମୟରେ ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିବା ସହ ୩୦, ୩୮ ଓ ୪୫ ମିନିଟରେ ୩ଟି ଗୋଲ୍ ଦେଇ ମ୍ୟାଚ୍ ବିଜୟୀ ହୋଇଥିଲେ ।
ନଭନୀତ କୌର ଡବଲ୍ ଗୋଲ୍ ଦେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୩୦ ଓ ୪୫ ମିନିଟ୍ରେ ଦୁଇଟି ଗୋଲ୍ ଦେଇଥିଲେ । ୩୮ ମିନିଟ୍ରେ ଦଳକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଉପ ଅଧିନାୟିକା ଦୀପଗ୍ରେସ ଏକ୍କା ଗୋଲ ରୂପ ଦେବାରେ ଆଦୌ ହେଳା କରି ନଥିଲେ । ଚଳିତ ବିଶ୍ୱକପ୍ରେ ଏହା ଭାରତୀୟ ଦଳର ଦ୍ୱିତୀୟ ବିଜୟ ରହିଥିଲା ।
ପୁଲ୍ ପର୍ଯ୍ୟାୟରେ ଇଂଲଣ୍ଡ ଓ ଚୀନ ସହ ମ୍ୟାଚ୍ ଡ୍ର’ କରିବା ପରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇଥିଲା । ଯାହାବି ହେଉ ଦଳ କ୍ରସ୍ ଓଭରରେ ପ୍ରବେଶ କରି ଭାରତ କ୍ୱାର୍ଟର ଖେଳିବାର ଆଶା ସଂଚାର କରିଥିଲା । ଭାରତୀୟ ଖେଳାଳି କ୍ରସଓଭରରେ ସ୍ପେନକୁ କଡ଼ା ଟକ୍କର ଦେଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ସ୍ପେନ ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ମ୍ୟାଚ୍ ଜିତି ନେଇଥିଲା । ଏହାପରେ କାନାଡ଼ା ଓ ଜାପାନ ସହ କ୍ରସଓଭର ମ୍ୟାଚ୍ ଖେଳି ଭାରତ ବିଜୟୀ ହୋଇଥିଲ।