ବ୍ଲାଡର କ୍ୟାନ୍ସରରେ ପୀଡିତ ନିର୍ଦ୍ଦେଶକ ମହେଶ ମାଞ୍ଜରେକର: ମୁମ୍ବାଇରେ ହେଲା ଅପରେସନ

Published By : Prameya-News7 Bureau | August 23, 2021 IST

ମୁମ୍ବାଇ ୨୩/୦୮ : ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମାଞ୍ଜରେକର ୟୁରିନ ବ୍ଲାଡର କ୍ୟାନ୍ସରରେ ପୀଡିତ। ନିକଟରେ ସେ ମୁମ୍ବାଇରେ ଅପରେସନ କରାଇଛନ୍ତି। ମୁମ୍ବାଇ ଏଚଏନ ରିଲାଏନ୍ସ ହସ୍ପିଟାଲରେ ୧୦ ଦିନ ପୂର୍ବରୁ ମହେଶ ମାଞ୍ଜରେକରଙ୍କ ଅପରେସନ ହୋଇଛି। ୬୩ ବର୍ଷ ବୟସ୍କ ଫିଲ୍ମମେକର ମାଞ୍ଜରେକର ନିଜେ ସୂଚନା ଦେଇଛନ୍ତି ଯେ ଗତ ସପ୍ତାହରେ ତାଙ୍କର ଅପରେସନ ହୋଇଛି ଓ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସୂଚନା ଅନୁଯାୟୀ, ବର୍ତ୍ତମାନ ସେ ଘରେ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ଅଛି।

ମହେଶ ମାଞ୍ଜରେକର 'ଜିନ୍ଦା', 'ରନ', 'ୱାଣ୍ଟେଡ', 'ବିରୁଦ୍ଧ' ଭଳି ଫିଲ୍ମରେ ନିଜ ଅଭିନୟ ପାଇଁ ଜଣାଶୁଣା। ଫିଲ୍ମ ଛଡା ସେ ବିଗ ବସ ଶୋ' ର ମରାଠୀ ଭର୍ସନର ପ୍ରଥମ ସିଜନ ମଧ୍ୟ ହୋଷ୍ଟ କରିସାରିଛନ୍ତି। ବର୍ତ୍ତମାନ ସେ ନିଜର ଆଗାମୀ ଫିଲ୍ମ 'ଅନ୍ତିମ'ର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ସଲମାନ ଖାନ ଓ ତାଙ୍କ ଭଉଣୀ ଜ୍ୱାଇଁ ଆୟୁଷ ଶର୍ମାଙ୍କୁ ନିର୍ଦ୍ଦେଶିତ କରୁଛନ୍ତି।

ନିକଟରେ ଅଗଷ୍ଟ ୧୬ ତାରିଖରେ ସେ ନିଜର ଜନ୍ମଦିନରେ ଘୋଷଣା କରିଥିଲେ ଯେ ଆଗାମୀ ଫିଲ୍ମ 'ହ୍ୱାଇଟ' ସନ୍ଦୀପ ସିଂହ ଓ ରାଜ ଶାଣ୍ଡିଲ୍ୟଙ୍କ ସହ ମିଶି କରିବେ। ଏହି ଫିଲ୍ମ ଘୋଷଣା ବେଳେ ମହେଶ ମାଞ୍ଜରେକର କହିଥଲେ ଯେ ଫିଲ୍ମର କାହାଣୀ ତାଙ୍କ ସହ ଗତ ୧୦ ବର୍ଷ ହେଲା ଅଛି। ଶେଷରେ ଦୁଇ ଦକ୍ଷ ଫିଲ୍ମମେକରଙ୍କ ସହ ଏହି ଫିଲ୍ମ ନିର୍ମାଣ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.