ମହେଶ ଭଟ୍ଟଙ୍କୁ ଜେରା କଲା ସାନ୍ତାକ୍ରୁଜ୍ ପୋଲିସ, ସୁଶାନ୍ତ ସିଂ ମାମଲାରେ ଥାନାରେ ୨ ଘଣ୍ଟା ବସେଇ ଗୁଡେଇ ତୁଡେଇ କଲା ପ୍ରଶ୍ନ

Published By : Prameya-News7 Bureau | July 27, 2020 IST

ମୁମ୍ବାଇ, ୨୭|୦୭ :  ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ମୁମ୍ବାଇ ପୋଲିସ ଅନେକଙ୍କୁ ପଚରାଉଚୁରା ଜାରି ରଖିଛି । ବଲିଉଡ୍ ନିର୍ଦ୍ଦେଶକ ତଥା ସିନେ ନିର୍ମାତା ମହେଶ ଭଟ୍ଟଙ୍କୁ ପୋଲିସ ସୋମବାର ଥାନାକୁ ଡାକି ପଚରାଉଚୁରା କରିଛି । ଦିନ ୧୨ଟାରେ ପୋଲିସ ମହେଶ ଭଟ୍ଟଙ୍କୁ ଥାନାରେ ହାଜର ହେବାକୁ କହିଥିଲା । ସାନ୍ତାକ୍ରୁଜ୍ ଥାନାରେ ମହେଶଙ୍କ ବୟାନ ରେକର୍ଡ ହୋଇଛି । ତାଙ୍କ ସହ ମାମଲାର ଯାଞ୍ଚ କରୁଥିବା ଅଧିକାରୀ ଓ ଅନ୍ୟ ଟିମ୍ ଉପସ୍ଥିତ ଥିଲେ ।

ରବିବାର ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଥିଲେ ଯେ, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମହେଶ ଭଟ୍ଟ ଓ କରନ ଜୋହରଙ୍କ ମ୍ୟାନଜରଙ୍କୁ ପଚରାଉଚୁରା କରାଯିବ । ପରେ ଧର୍ମା ପ୍ରଡକ୍ସନର ସିଇଓ ଅପୂର୍ବ ମେହେତାଙ୍କ ବୟାନ ରେକର୍ଡ କରାଯାଇଥିଲା । ମହେଶଙ୍କ ପଚରାଉଚୁରା ପରେ କଣ ନୂଆ ଖୁଲାସା ହେବ ତାହା ଦେଖିବାକୁ ବାକି ରହିଛି ।

ଅନିଲ ଦେଶମୁଖ ସୁଶାନ୍ତଙ୍କ ମାମଲାର କହିଥିଲେ ଯେ, ମହେଶ ଭଟ୍ଟଙ୍କୁ ପଚରାଉଚୁରା କରାଯାଉ । ମହେଶଙ୍କ ବୟାନ ରେକର୍ଡ କରାଯିବାର ଆବଶ୍ୟକତା ରହିଛି । କରନ ଜୋହରଙ୍କ ମ୍ୟାନେଜରକୁ ମଧ୍ୟ ଜେରା କରାଯିବ । ଆବଶ୍ୟକ ପଡିଲେ ନିଜେ କରନ ଜୋହର ମଧ୍ୟ ଜେରାର ସାମ୍ନା କରିପାରନ୍ତି ।

ତେବେ କରନ ଜୋହରଙ୍କ ମ୍ୟାନେଜରଙ୍କୁ ପଚରାଉଚୁରାକୁ ନେଇ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଅସନ୍ତୋଷ ବ୍ୟକ୍ତ କରିଥିଲେ । ନିଜେ କରନଙ୍କୁ ପଚରାଉଚୁରା କରାଯାଉ ବୋଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ମ୍ୟାନେଜରଙ୍କୁ ସମନ ପଠାଯାଇଛି କିନ୍ତୁ ଆଦିତ୍ୟ ଠାକରେଙ୍କ ବନ୍ଧୁ କରନଙ୍କୁ ନୁହେଁ ବୋଲି କଙ୍ଗନା ତାତ୍ସଲ୍ୟ କରି କହିଥିଲେ ।

ସୂଚନାଯୋଗ୍ୟ, ମହେଶ ଭଟ୍ଟ ଓ କରନ ଜୋହର ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଲଗାତାର ଭାବେ ଟ୍ରୋଲ ହେଉଛନ୍ତି । କରନ ଜୋହରଙ୍କ ଉପରେ ସୁଶାନ୍ତଙ୍କ କ୍ୟାରିଅରର ଅନ୍ତ କରିଥିବା ଅଭିଯୋଗ ଲାଗିଛି । ସେହିପରି ଆଲିଆ ଭଟ୍ଟ, ସୋନମ କପୁର ଓ ସୋନାକ୍ଷୀ ସିହ୍ନାଙ୍କ ପରି ଅନେକ ଷ୍ଟାର କିଡଙ୍କୁ ମଧ୍ୟ ଟ୍ରୋଲ୍ କରାଯାଉଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.