ଆମେରିକାରେ ପୁଣି ବାପୁଙ୍କୁ ଅସମ୍ମାନ: ମହାତ୍ମାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ୧୪ ଦିନରେ ଭାଙ୍ଗିଲେଣି ଦୁଇଥର
19/08/2022 at 4:46 PM

ନ୍ୟୁୟର୍କ: ଆମେରିକାର ପୁଣିଥରେ ବାପୁଙ୍କୁ ଅସମ୍ମାନ। ନ୍ୟୁୟର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ। ପ୍ରତିମୂର୍ତ୍ତି ଟି ଏକ ମନ୍ଦିର ସାମ୍ନାରେ ଥିଲା। ୧୪ ଦିନରେ ଦୁଇ ଦୁଇ ଥର ଗାନ୍ଦୀ ମୂର୍ତ୍ତୀ ଭାଙ୍ଗିଲେଣି ଦୁର୍ବୃତ୍ତ। ଅଗଷ୍ଟ ୧୬ ତାରିଖ ସକାଳେ ନ୍ୟୁୟର୍କର ଶ୍ରୀ ତୁଳସୀ ମନ୍ଦିର ସାମ୍ନାରେ ଥିବା ଗାନ୍ଧୀ ମୂର୍ତ୍ତିକୁ ୬ ଜଣେ ଲୋକ ଏକ ହାତୁଡ଼ି ସାହାଯ୍ୟରେ ଭାଙ୍ଗି ଦେଇଛନ୍ତି। ପ୍ରତିମୂର୍ତ୍ତି ଭାଙ୍ଗିବା ସହ ଦୁର୍ବୃତ୍ତମାନେ ମୂର୍ତ୍ତି ଚାରିପଟେ ଓ ରାସ୍ତାରେ ହିଂସାର କଥା ସବୁ ଲେଖିଯାଇଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହା ପୂର୍ବରୁ ଅଗଷ୍ଟ ୩ ତାରିଖରେ ଗାନ୍ଧୀ ମୂର୍ତ୍ତି ଭାଙ୍ଗିବା ଘଟଣା ସାମ୍ନାକୁ ଆସିଥିଲା।
ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତଙ୍କର ଭିଡିଓ ଜାରି କରିଛି। ତାଙ୍କ ବୟସ ୨୫-୩୦ ଭିତରେ ହେବ ବୋଲି ପୁଲିସ୍ କହିଛନ୍ତି। ମୂର୍ତ୍ତୀ ଭାଙ୍ଗିସାରିବା ପରେ ଗୋଟିଏ ଧଳା ମର୍ସିଟିଜ୍ ବେଞ୍ଜ୍ ଓ କଳା କଲର କାରରେ ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବା ପୁଲିସ କହିଛି। ଏପଟେ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନ୍ୟୁୟର୍କ ବିଧାୟିକା ଜେନିଫର ରାଜକୁମାର। ଅପରାଧିକୁ ଖୁବ୍ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି। ଏହାକୁ ମିଶାଇ ତୁଳସୀ ମନ୍ଦିର ପାଖରେ ଥିବା ଗାନ୍ଧୀ ଷ୍ଟେଚ୍ୟୁକୁ ଦୁଇଥର ଭଙ୍ଗାଗଲାଣି। ତେବେ ଏଥର ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି।
ଏହା ପୂର୍ବରୁ ଜୁଲାଇ ୧୪ ତାରିଖରେ କାନାଡ଼ାରେ ମଧ୍ୟ ଗାନ୍ଧୀ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଥିଲା। ସେହିପରି ଚଳିତ ବର୍ଷ ଫେବ୍ରୁଆରୀରେ ନ୍ୟୁୟର୍କ ସିଟି ମନହଟ୍ଟନରେ ମଧ୍ୟ ଗାନ୍ଦୀ ମୂର୍ତ୍ତି ଭଙ୍ଗାଯିବାର ଘଟଣା ସାମ୍ନାକୁ ଆସିଥିଲା।