ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ‘ମହର୍ଷି’, ଦର୍ଶକ ଦେଖିବେ ଜୟୀ ରାଜଗୁରୁଙ୍କ କାହାଣୀ

Published By : Prameya-News7 Bureau | August 17, 2022 IST

ଭୁବନେଶ୍ଵର ୧୭।୦୮: ଐତିହାସିକ ଓଡ଼ିଆ ଚଳଚ୍ଚିତ୍ର ‘ମହର୍ଷି’ର ଟ୍ରେଲର ରିଲିଜ୍‌ ହୋଇଯାଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ଟ୍ରେଲର ଦର୍ଶକଙ୍କ ସାମ୍ନାକୁ ଆସିଛି । ପାଇକ ବିଦ୍ରୋହର ମହାନ୍‌ ବୀରତ୍ୱ, ଦେଶପ୍ରେମ ଓ ସାହସର ପ୍ରତୀକ ତଥା ମୁଖ୍ୟ କର୍ଣ୍ଣଧାର ଜୟୀ ରାଜଗୁରୁଙ୍କ ଜୀବନ କାହାଣୀ ଉପରେ ର୍ନିମିତ ହୋଇଛି ଏହି ଚଳଚ୍ଚିତ୍ର । ଯାହା ଆସନ୍ତା ସେପ୍ଟେମ୍ବର ମାସରେ ପ୍ରେକ୍ଷାଳୟକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇଥିବା ଅଭିନେତା ଚନ୍ଦନ କର ଏଥିରେ ଜୟୀ ରାଜଗୁରୁଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ଚଳଚ୍ଚିତ୍ରଟି କେବଳ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ କାହାଣୀକୁ ଲୋକଲୋଚନକୁ ଆଣିବନି ବରଂ ଓଡ଼ିଆ ସଂସ୍କୃତି ଓ ଇତିହାସକୁ ଉଜ୍ଜୀବିତ କରିବ ବୋଲି ଅଭିନେତା ଚନ୍ଦନ କହିଛନ୍ତି । ଚଳଚ୍ଚିତ୍ରରେ ଅନ୍ୟାନ୍ୟ ଭୂମିକାରେ ଶ୍ରୀତମ ଦାସ, ଦେବୀ ବାରିକ, ମହିମା ଦାସ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ସରୋଜ ଦାସ, ଛତିଶଗଡ଼ର ଅଜୟ ପଟେଲ, ମୁକେଶ, ପ୍ରଶାନ୍ତ ନାୟକ ପ୍ରମୁଖ ଅଭିନୟ କରିଛନ୍ତି ।

ରମାକାନ୍ତ କରଙ୍କ ନିବେଦିତ ଏହି ଚଳଚ୍ଚିତ୍ରର ଡିଓପି ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ପ୍ରଦୀପ ସାହୁ । ଗୀତ ଲେଖିଛନ୍ତି ଡା. ନିର୍ମଳ ନାୟକ, ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର ଏବଂ କୋରିଓଗ୍ରାଫି କରିଛନ୍ତି ଅମିର ପତି । ସଂଳାପ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟବ୍ରତ ନାୟକ । ଡିଆଇ ଏବଂ ଭିଏଫ୍‌ଏକ୍ସ ଦାୟିତ୍ୱ ନିହାଲ ଫିଲ୍ମସ୍‌ ତୁଲାଇଥିଲାବେଳେ ସମ୍ପାଦନା କାର୍ଯ୍ୟ କରିଛନ୍ତି ପିଣ୍ଟୁ ନାୟକ ଏବଂ କ୍ରିଏଟିଭ୍‌ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ଜେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.