previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ମହାରାଷ୍ଟ୍ର ‘ରାଜନୀତି’, ୩ ବର୍ଷରେ ରାଜ୍ୟବାସୀ ଦେଖିଲେଣି ୩ ମୁଖ୍ୟମନ୍ତ୍ରୀ

1/07/2022 at 9:59 AM

ମୁମ୍ବାଇ ୦୧।୦୭ : ସରିଛି ମହାରାଷ୍ଟ୍ର ମହାନଟକ । ଗଠନ ହୋଇଛି ନୂଆ ସରକାର । ଆଉ ଶପଥ ନେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଆଉ ଖାଲି ବାକି ରହିଲା ବିଧାନସଭାରେ ବହୁମତ ସାବ୍ୟସ୍ତ ହେବେ ଆଉ ଗଠନ ହେବ ନୂଆ ମନ୍ତ୍ରୀମଣ୍ଡଳ।  ମନ୍ତ୍ରୀମଣ୍ଡଳରେ କିଏ କିଏ ସାମିଲ ହେବେ, ସେନେଇ ଚାଲିଛି ଅଙ୍କକଷା । କିନ୍ତୁ ଏସବୁ ଭିତରେ ଗୋଟିଏ କଥା ସାମ୍ନାକୁ ଆସିଛି । ତାହା ହେଉଛି, ଗତ ୩ ବର୍ଷରେ  ରାଜ୍ୟ ଦେଖିଲାଣି ୩ଜଣ ମୁଖ୍ୟମନ୍ତ୍ରୀ ।

୨୦୧୯ରେ ପ୍ରଥମେ ଦେବେନ୍ଦ୍ର ଫଡନାବିସ୍‌, ପରେ ଉଦ୍ଧବ ଠାକ୍‌ରେ ଆଉ ଏବେ ଏକନାଥ ସିନ୍ଦେ । ତେବେ ଆସନ୍ତୁ ଜାଣିବା କେଉଁ ନେତା , କେତେ ଦିନ ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ପଦ ।

ଦେବେନ୍ଦ୍ର ଫଡ୍‌ନାବୀସ୍‌– ୨୦୧୯ ବିଜେପି-ଶିବସେନା ମେଣ୍ଟ ନିର୍ବାଚନରେ ବିଜୟୀ ହୋଇଥିଲେ । ପରେ ମୁଖ୍ୟମନ୍ତ୍ରୀ ପଦକୁ ଶିବସେନା-ବିଜେପି ମଧ୍ୟରେ ବିବାଦ ଲାଗିରହିଲା । ଆଉ ନିର୍ବାଚନ ପରେ ବିଜେପିଠାରୁ ମେଣ୍ଟ ଭାଙ୍ଗିଦେଇଥିଲା ଶିବସେନା । ମେଣ୍ଟ ଭାଙ୍ଗିବା ପରେ ବିଜେପି ଏନ୍‌ସିପି ସହ ମିଶି ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ । ଦେବେନ୍ଦ୍ର ଫଡନାବୀସ୍‌ ମୁଖ୍ୟମନ୍ତ୍ରୀ ଏବଂ ଏନ୍‌ସିପି ନେତା ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିଛି ଦିନ ପରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିଥାନ୍ତେ ଉଭୟ ଦଳ । କିନ୍ତୁ ତାପୂର୍ବରୁ ବିଜେପିଠୁ ଏନ୍‌ସିପି ସମର୍ଥନ ଫେରାଇନଥିଲା । ଆଉ ଭାଙ୍ଗିଯାଇଥିଲା ନୂଆ ଗଢାହୋଇଥିବା ମେଣ୍ଟ । ଶେଷରେ ୨୩ ନଭେମ୍ବର ୨୦୧୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫଡନାବୀସ୍‌ ୨୮ ନଭେମ୍ବର ୨୦୧୯ରେ ଇସ୍ତଫା ଦେଇଥିଲେ । ମାତ୍ର ୫ ଦିନରେ ହିଁ ଦେବେନ୍ଦ୍ର ଫଡନାବୀସ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଉଦ୍ଧବ ଠାକ୍‌ରେ– ନିର୍ବାଚନ ପରେ ବିଜେପି ଠାରୁ ଅଲଗା ହୋଇ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ୍‌ ଶିବସେନା ଦଳ କଂଗ୍ରେସ ଓ ଏନ୍‌ସିପି ସହ ମିଶି ରାଜ୍ୟରେ ନୂଆ ସରକାର ଗଠନ କଲେ । ଆଉ ମେଣ୍ଟର ନାଁ ଦେଲେ ମହାବିକାଶ ଆଘାଢି । ଦେବେନ୍ଦ୍ର ଫଡନାବୀସ୍‌ଙ୍କ ଇସ୍ତଫା ପରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କୁ ସମର୍ଥନ କରିଥିଲେ ଏନ୍‌ସିପି ଓ କଂଗ୍ରେସ । ସୁରୁଖୁରୁରେ ଚାଲିଥିଲା ସରକାର । ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ସରକାର ଠିକ୍‌ଠାକ୍‌ରେ ଚାଲିଥିଲେ । କିନ୍ତୁ ଗତ ମାସରେ ଶିବସେନା ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଏକନାଥ ସିନ୍ଦେ ହଠାତ୍‌ ବିଦ୍ରୋହ କରିଥିଲେ । ଆଉ ନିଜ ସହିତ ଏକାଧିକ ବିଧାୟକଙ୍କୁ ନେଇ ପ୍ରଥମେ ଗୁଜୁରାଟର ସୁରତ, ପରେ ଆସାମର ଗୌହାଟୀ ଚାଲିଯାଇଥିଲେ । ସେଠାରେ ରହି ସେ ନିଜ ସପକ୍ଷରେ ବିଧାୟକଙ୍କୁ ଆଣିବା ପାଇଁ ବଳ ଗୋଟାଇଥିଲେ । ଧୀରେ ଧୀରେ ମଧ୍ୟ ଏକନାଥ ସିନ୍ଦେ ଏଥିରେ ସଫଳ ହୋଇଥିଲେ । ଦେଖୁ ଦେଖୁ ଶିବସେନାରେ ବିଦ୍ରୋହୀଙ୍କ ସଂଖ୍ୟା ବଢିଥିଲା । ଗୋଟିଏ ପଟେ ଉଦ୍ଧବଙ୍କ ପାଖେ ବିଧାୟକ ସଂଖ୍ୟା କମୁଥିବା ବେଳେ ଏକନାଥ ସିନ୍ଦେଙ୍କ ସପକ୍ଷରେ ବଢିବାରେ ଲାଗିଲା । ଶେଷରେ ୨୮ ନଭେମ୍ବର ୨୦୧୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଉଦ୍ଧବ ଠାକ୍‌ରେ ୩୦ ଜୁନ୍‌ ୨୦୨୨ରେ ଇସ୍ତଫା ଦେଇଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ୨ ବର୍ଷ ୨୧୪ ଦିନ ରହିଥିଲେ ଉଦ୍ଧବ ଠାକ୍‌ରେ ।

ଏକନାଥ ସିନ୍ଦେ-ମହାରାଷ୍ଟ୍ରର ମହାନାଟକରେ ଆଉ ଜଣେ ଏଣ୍ଟ୍ରି କରିଛନ୍ତି । ସେ ହେଉଛନ୍ତି ଶିବେସନାରେ ବାଗୀ ବିଧାୟକ ଏକନାଥ ସିନ୍ଦେ । ଦିନେ ମହାରାଷ୍ଟ୍ର ସରକାରରେ ସହରାଞ୍ଚଳ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ସିନ୍ଦେ ଏବେ ରାଜ୍ୟର ନୂଆ ମୁଖିଆ ଭାବେ ଶପଥ ନେଇଛନ୍ତି । ତାଙ୍କୁ ସମର୍ଥନ କରିଛି ଭାରତୀୟ ଜନତା ପାର୍ଟି (ବିଜେପି) ।

ତେବେ ଦେଖିବାକୁ ବାକି ରହିଲା । କେତେଦିନ ଚାଲିବ ଏହି ସରକାର । ବାକି ଥିବା ସମୟସୀମା ସମାପ୍ତ କରିବ ନା ତାପୂର୍ବରୁ ରାଜ୍ୟରେ ଆଉ କିଛି ନୂତନ ରାଜନୈତିକ ସମୀକରଣ ଘଟିବ । ରାଜ୍ୟବାସୀ ଗତ ୩ ବର୍ଷରେ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଦେଖିସାରିଲେଣି । ଏହି ସଂଖ୍ୟା ଆଗକୁ ବଢିବ, ନା ଏତିକିରେ ସୀମିତ ରହିବ । ତାହା ସମୟ ହିଁ କହିବ ।  

   Related Posts