ମହାରାଷ୍ଟ୍ର ରାଜନୀତି : ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ

Published By : Prameya-News7 Bureau | July 04, 2022 IST

ନୂଆଦିଲ୍ଲୀ ୦୪/୦୭: ପ୍ରଥମ ଅଗ୍ନିପରୀକ୍ଷାରେ ପାସ ପରେ ଆଜି ସଂଖ୍ୟା ପରୀକ୍ଷା ଦେବେ ଏକନାଥ ସିନ୍ଦେ । ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ନୂଆ ଗେମ୍ ଆରମ୍ଭ କରିଦେଇଛନ୍ତି ନୂଆ ବାଚସ୍ପତି। ସିନ୍ଦେ ଗୋଷ୍ଠୀକୁ ନୂଆ ବାଚସ୍ପତି ରାହୁଲ ନାର୍ବେକର ସ୍ବୀକୃତି ଦେଇଛନ୍ତି । ସିନ୍ଦେଙ୍କ ହୁଇପ୍ ନ ମାନିଲେ ଅଯୋଗ୍ୟ ଘୋଷଣା ହୋଇପାରନ୍ତି ଠାକରେ ଗୋଷ୍ଠୀ।

ଆହୁରି ମଧ୍ୟ ବିଧାୟକ ଦଳ ନେତା ପଦରୁ ଶିବସେନା ବିଧାୟକ ଅଜୟ ଚୌଧାରୀଙ୍କୁ ବାଚସ୍ପତି ବିଦା କରିଛନ୍ତି। ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ଚିଠି ଜାରି କରାଯାଇଛି। ଫଳରେ ଉଦ୍ଧବଙ୍କ ପଟେ ଥିବା ୧୬ ବିଧାୟକ ଆସ୍ଥା ଭୋଟ ପୂର୍ବରୁ ଗୋଗୱାଲେଙ୍କ ପକ୍ଷରୁ ଜାରି ହେବାକୁ ଥିବା ହ୍ବିପ୍ ମାନିବାକୁ ବାଧ୍ୟହେବେ। ଯଦି ଏହି ୧୬ ବିଧାୟକ ହ୍ବିପକୁ ନମାନନ୍ତି ତା’ହେଲେ ସେମାନେ ଅଯୋଗ୍ୟ ହୋଇପାରନ୍ତି।

ସେପଟେ ମହାରାଷ୍ଟ୍ର ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ରବିବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଜେପିର ରାହୁଲ ନର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ମହା ବିକାଶ ଅଘାଡି ଗୋଷ୍ଠୀର ଶିବସେନା ବିଧାୟକ ପ୍ରାର୍ଥୀ ରାଜନ ସାଲଭିଙ୍କୁ ହରାଇଛନ୍ତି । ବାଚସ୍ପତି ନିର୍ବାଚନରେ ବିଜୟ ପାଇଁ ୧୪୪ ଖଣ୍ଡ ଭୋଟର ଆବଶ୍ୟକତା ଥିବା ବେଳେ ରାହୁଲ ୧୬୪ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ଶିବସେନା ବିଧାୟକ ପ୍ରାର୍ଥୀ ରାଜନ ସାଲଭି ୧୦୭ ଖଣ୍ଡ ଭୋଟ୍ ପାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.