ମହାରାଷ୍ଟ୍ର ସରକାରର ସଙ୍କଟ ଟଳିବ, ୯ଟି ବିଧାନ ପରିଷଦର ତୁରନ୍ତ ନିର୍ବାଚନ ପାଇଁ ଇସିଙ୍କୁ ଅନୁରୋଧ କଲେ ରାଜ୍ୟପାଳ
30/04/2020 at 9:29 PM

ମୁମ୍ବାଇ, ୩୦|୦୪: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ ଗୁରୁବାର ନିର୍ବାଚନ କମିଶନଙ୍କୁ ବିଧାନପରିଷଦରେ ଖାଲି ପଡିଥିବା ୯ଟି ଆସନରେ ଅତିଶୀଘ୍ର ନିର୍ବାଚନ କରିବାକୁ କହିଛନ୍ତି । ଫଳରେ ଉଦ୍ଧବ ଠାକରେଙ୍କ ବିଧାନ ପରିଷଦକୁ ନିର୍ବାଚିତ ହେବା ନେଇ ଯେଉଁ ଅନିଶ୍ଚିତତା ଦେଖାଦେଇଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି ।
ଏହି ୯ଟି ଆସନ ଗତ ୨୪ ତାରିଖରୁ ଖାଲି ରହିଛି । ମହାରାଷ୍ଟ୍ର କ୍ୟାବିନେଟ୍ ଦୁଇ ଥର ଉଦ୍ଧବ ଠାକରେଙ୍କୁ ବିଧାନ ପରିଷଦ ପାଇଁ ନାମାଙ୍କନ କରିବାକୁ ପ୍ରସ୍ତାବ ପଠାଇଥିଲେ ମାତ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ବୁଧବାର ସୁଦ୍ଧା ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନେଇ ନଥିଲେ। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି ମହାରାଷ୍ଟ୍ରର ରାଜନୈତିକ ସଙ୍କଟରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ପ୍ରଧାମନ୍ତ୍ରୀ ମୋଦୀ ଶୀଘ୍ର ଏହି ମାମଲାର ସମାଧାନ କରିବାକୁ ଆଶ୍ଵାସନା ମଧ୍ୟ ଦେଇଥିଲେ ।
ରାଜ୍ୟପାଳ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି କହିଛନ୍ତି ଯେ, କେନ୍ଦ୍ର ସରକାର ଲକଡାଉନକୁ ଦେଶରେ କୋହଳ କରିଛନ୍ତି । ଫଳରେ ଗାଇଡଲାଇନ୍ ଅନୁସାରେ ନିର୍ବାଚନ ହେଲେ ଅସୁବିଧା ନାହିଁ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭା ବା ବିଧାନ ପରିଷଦର ସଦସ୍ୟ ନାହାଁନ୍ତି । ସେ ମେ ୨୭ ମଧ୍ୟରେ ନିର୍ବାଚିତ ହେବା ଆବଶ୍ୟକ ।