ମୁମ୍ବାଇ ୧୧/୦୧ : ମହାରାଷ୍ଟ୍ରର ଓ୍ବାସିଲ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀରେ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣା ଏବେବି ମନରୁ ନଲିଭୁଣୁ ମହାରାଷ୍ଟ୍ରରେ ଆଉ ଏକ ଯୁବତୀଙ୍କୁ ଚଳନ୍ତା ବସରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପୀଡିତା ଯୁବତୀଙ୍କ ସହ ୨ ଥର ଦୁଷ୍କର୍ମ କରିବା ସହ ଘଟଣା ବାବଦରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଫେରାର ହୋଇଯାଇଛି । ପୀଡିତାଙ୍କ ବୟାନ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଅଭିଯୁକ୍ତକୁ ଧରିବା ପାଇଁ ଚଢଉ କରୁଛି ।
ପୀଡିତା ୨୪ ବର୍ଷୀୟ ଯୁବତୀ ପୋଲିସକୁ କହିଛନ୍ତି ଯେ, ସେ ଏକ ଘରୋଇ ସ୍ଲିପର୍ ବସରେ ଯାତ୍ରା କରୁଥିଲେ । ବସଟି ନାଗପୁରରୁ ପୁଣେ ଅଭିମୁଖେ ଯାଉଥିଲା । ତେବେ ଯୁବତୀଜଣଙ୍କୁ ବସର କ୍ଲିନର ୫ ନମ୍ବର ସିଟ ବଦଳରେ ୧୫ ନମ୍ବର ସିଟରେ ବସିବା ପାଇଁ କହିଥିଲେ । ବସ କିଛି ସମୟ ଚାଲିବା ପରେ ଅଭିଯୁକ୍ତଜଣକ ଯବୁତୀଙ୍କୁ ଧମକାଇବା ସହ ବସରୁ ତଳକୁ ଠେଲି ଦେବାକୁ ଧମକାଇଥିଲା । ଏହା ପରେ ଯୁବତୀଙ୍କ ସହ ଚଳନ୍ତା ବସରେ ୨ ଥର ଦୁଷ୍କର୍ମ କରିଥିଲା ।
ପୋଲିସ ପୀଡିତାଙ୍କ ବୟାନ ଆଧାରରେ ମାମଲା ରୁଜୁ କରିଛି । ତେବେ ଘଟଣାରେ ବ୍ୟବହାର ହୋଇଥିବା ବସକୁ ପୋଲିସ ପୁଣେରୁ ଜବତ କରିଛି । ଏବେ ପୋଲିସର ଏକ ଟିମ ଅଭିଯୁକ୍ତକୁ ଧରିବା ପାଇଁ ନାଗପୁର ଯାଇଛି । ମାଲେଗାଓଁ ଥାନା ଅଧିକାରୀ ପୁଷ୍ପଲତା ବାଘ୍ କହିଛନ୍ତି, ପୀଡିତା ଯୁବତୀ ଗୋନ୍ଦିୟା ଅଞ୍ଚଳରେ ରୁହନ୍ତି । ସେ ପୁଣେର କାରେଗାଓଁରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ତେବେ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି ଏବଂ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।