ଆଜାନ ବିବାଦ, ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର ଉପରେ କଟକଣା ଲାଗୁ କରିବ ମହାରାଷ୍ଟ୍ର

Published By : Prameya-News7 Bureau | April 18, 2022 IST

 ମୁମ୍ୱାଇ,୧୮।୦୪: ଲାଉଡସ୍ପିକରରେ ଆଜାନକୁ ନେଇ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ଶାଣିତ ବୟାନ ପରେ ବ୍ୟାକ ଫୁଟରେ ରହିଛି ମହାରାଷ୍ଟ୍ର ସରକାର। ରାଜ୍ୟର ଗୃହ ମନ୍ତ୍ରଣାଳୟ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର ନେଇ କୋର୍ଟଙ୍କ ପୂର୍ବ ରାୟକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର ପାଇଁ ଅନୁମତି ନେବା ବାଧ୍ୟତାମୂଳକ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଦୀଲିପ ୱାଲସେ ପାଟିଲ ପୋଲିସ ଡିଜିଙ୍କ ସହ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକରେ ରାଜ୍ୟର ସମସ୍ତ ପୋଲିସ କମିଶନର ଏବଂ ପୋଲିସ ଅଧିକାରୀଙ୍କୁ ନିଷ୍ପତ୍ତି ବାବଦରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏଏନଆଇ ରିପୋର୍ଟ ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଗୃହ ମନ୍ତ୍ରୀ ପାଟିଲ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସହ ସର୍ବସାଧାରଣ ସ୍ଥାନରେ ଲାଉଡସ୍ପିକର ବ୍ୟବହାର ବିବାଦ ଉପରେ ଆଲୋଚନା କରିଥିଲେ।

ବୈଠକ ପରେ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଆସନ୍ତା ଦିନେ ଦୁଇ ଦିନ ଭିତରେ ର୍ବସାଧାରଣ ସ୍ଥାନରେ ଲାଉଡସ୍ପିକର ବ୍ୟବହାର ନେଇ ଗାଇଡ ଲାଇନ ଜାରି କରାଯିବ। ମନ୍ତ୍ରୀ କହିଛନ୍ତି, 'ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆମେ ନଜର ରଖିଛୁ । ଯେଉଁମାନେ ଶାନ୍ତି ଭଙ୍ଗ କରିବାକୁ ଚାହିଁବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ'।  

ଏହା ପୂର୍ବରୁ ନାସିକ ପୋଲିସ କମିଶନର ଏକ ନିର୍ଦ୍ଦେଶ ଜାରି କରି ଲାଉଡସ୍ପିକର ପାଇଁ ଅନୁମତି ନେବାକୁ ବାଧ୍ୟତାମୂଳକ କରିଛନ୍ତି । ପୋଲିସ କମିଶନର ଦୀପକ ପାଣ୍ଡେ କହିଛନ୍ତି, ଲାଉଡସ୍ପିକରରେ ହନୁମାନ ଚାଳିଶା ଏବଂ ଭଜନ ବଜାଇବା ପାଇଁ ଅନୁମତି ନେବାକୁ ପଡିବ। ତେବେ ଆଜନର ଆରମ୍ଭ ଏବଂ ଶେଷର ୧୫ ମିନିଟ ଯାଏଁ ଅନୁମତି ଦିଆଯିବ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.