ଟଳିଲା ଉଦ୍ଧବଙ୍କ ସଂକଟ, ମେ ୨୧ରେ ହେବ ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନ

Published By : Prameya-News7 Bureau | May 01, 2020 IST

ମୁମ୍ବାଇ ୧।୫:  ନିର୍ବାଚନ ଆୟୋଗ ଶୁକ୍ରବାର ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନ ଲାଗି ଅଧିସୂଚନା ଜାରି କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଅଧିସୂଚନା ଅନୁସାରେ ରାଜ୍ୟର ୯ଟି ଆସନ ଲାଗି ମେ ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସବୁ ଆସନ ଗତ ଏପ୍ରିଲ ୨୪ ତାରିଖରୁ ଖାଲିପଡିଥିଲା। ରାଜ୍ୟପାଳଙ୍କ ନିବେଦନ ଅନୁସାରେ ନିର୍ବାଚନ ଆୟୋଗ ରିକ୍ତ ଆସନ ଲାଗି ନିର୍ବାଚନ ନିମନ୍ତେ ଅଧିସୂଚନା ଜାରି କରିଛନ୍ତି।

ତେବେ ନିର୍ବାଚନ ଆୟୋଗଙ୍କ ବିଧାନ ପରିଷଦ ନିର୍ବାଚନ ନିଷ୍ପତ୍ତି ସହ ଉଦ୍ଧବ ସରକାରଙ୍କ ଲାଗି ଥିବା ବିପଦ ଟଳି ଯାଇଛି। ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଗତ ୨୦୧୯ ନଭେମ୍ବର ୨୮ ତାରିଖରେ ଶପଥ ପାଠ କରିଥିଲେ। ହେଲେ ରାଜ୍ୟ ବିଧାନମଣ୍ଡଳର କୌଣସି ସଦନର ସେ ସଦସ୍ୟ ନାହାନ୍ତି। ସମ୍ବିଧାନ ଅନୁସାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବାର ୬ ମାସ ମଧ୍ୟରେ ଅର୍ଥାତ ୨୭ ମେ ୨୦୨୦ ସୁଦ୍ଧା ବିଧାନମଣ୍ଡଳର ଯେକୌଣସି ସଦନର ସଦସ୍ୟତା ପ୍ରାପ୍ତ କରିବାକୁ ହେବ। ଯେହେତୁ ଉଦ୍ଧବ ନିର୍ବାଚନ ନ ଲଢି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କ ଲାଗି ଏହି ନିୟମ ଲାଗୁ ହେଉଛି।

ଏଥିପାଇଁ ଉଦ୍ଧବଙ୍କୁ ବିଧାନପରିଷଦରୁ ନୋମିନେସନ କରାଇବା ଲାଗି ମହାରାଷ୍ଟ୍ର ସରକାର ୨ ଥର ପ୍ରସ୍ତାବ କ୍ୟାବିନେଟ୍‌ରେ ଗୃହୀତ କରାଇବା ସହ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ହେଲେ ଏଥିପ୍ରତି ରାଜ୍ୟପାଳ ଭଗତସିଂ କୋଶ୍ୟାରୀ ଧ୍ୟାନ ଦେଉନଥିଲେ। ଏଣୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବାରୁ ରାଜ୍ୟପାଳ ନିର୍ବାଚନ ଆୟୋଗଙ୍କୁ ବିଧାନପରିଷଦର ୯ ରିକ୍ତ ଆସନ ଲାଗି ଶୀଘ୍ରାତି ଶୀଘ୍ର ନିର୍ବାଚନ କରାଇବା ଲାଗି ପ୍ରସ୍ତାବ ପଠାଇଥିବା ବେଳେ ଆୟୋଗ ଶୁକ୍ରବାର ଅଧିସୂଚନା ଜାରି କରିଛନ୍ତି। କରୋନାକୁ ନେଇ ରାଜ୍ୟରେ ଉପୁଜିଥିବା ପରିସ୍ଥିତିରେ ବିଧାନପରିଷଦ ନିର୍ବାଚନ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ କରାଯାଇପାରେ ବୋଲି ରାଜ୍ୟପାଳ ତାଙ୍କ ସୁପାରିଶରେ ଉଲ୍ଲେଖ କରିଥିଲେ। ଏବେ ଆୟୋଗ ସେହି ଅନୁସାରେ ଅଧିସୂଚନା ଜାରି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.