କର୍ଣ୍ଣାଟକ ସହ ବଢ଼ିବ ସୀମା ବିବାଦ, ୮୬୫ ଗାଁକୁ ସାମିଲ୍‌ ଲାଗି ମହାରାଷ୍ଟ୍ର ବିଧାନସଭାରେ ଗୃହୀତ ହେଲା ପ୍ରସ୍ତାବ

Published By : Prameya-News7 Bureau | December 27, 2022 IST

ନୂଆଦିଲ୍ଲୀ, ୨୭/୧୨: ମହାରାଷ୍ଟ୍ର ବିଧାନସଭାରେ ଗୃହୀତ ହୋଇଛି କର୍ଣ୍ଣାଟକ ସହ ସୀମା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପ୍ରସ୍ତାବ। ସିନ୍ଦେଙ୍କ ଏହି ପ୍ରସ୍ତାବରେ କର୍ଣ୍ଣାଟକର ୮୬୫ ଗ୍ରାମ ଏବଂ କିଛି ଛୋଟ ସହରକୁ ମହାରାଷ୍ଟ୍ରରେ ସାମିଲ କରିବା ସଙ୍କଳ୍ପ ନିଆଯାଇଛି। ଏହି ପ୍ରସ୍ତାବକୁ ବିଧାନସଭାର ସବୁ ଦଳର ବିଧାୟକଙ୍କ ସମର୍ଥନ ମିଳିଛି। ପ୍ରସ୍ତାବକୁ ମଞ୍ଜୁର କରାଯିବାପରେ ଏକନାଥ ସିନ୍ଦେ କହିଛନ୍ତି ଏହି କଂଗ୍ରେସ ସମୟରୁ ହିଁ ଏହି ବିବାଦ ରହିଆସିଛି ଏବଂ ସେ ହିଁ ଏଥିପାଇଁ ଦାୟୀ। ସୂଚନାଯୋଗ୍ୟ, ନିକଟରେ ଅମିତ ଶାହ କର୍ଣ୍ଣାଟକର ମୁଖ୍ୟମନ୍ତ୍ରର ବସବରାଜ ବୋମ୍ମଇ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକ ଡକାଇଥିଲେ।

ଏହି ବୈଠକରେ ଶାହ ଉଭୟ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ତରଫରୁ ଯଥାସ୍ଥିତି ବଜାୟ ରଖିବା ନିଷ୍ପତ୍ତିକୁ କାଏମ ରଖିବାକୁ କହିଥିଲେ। ଅବଶ୍ୟ ଏହାପରେ ବି କର୍ଣ୍ଣାଟକ ବିଧାନସଭାରେ ସୀମା ବିବାଦକୁ ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଉ ଏହା ପରଠାରୁ ହିଁ ମହରାଷ୍ଟ୍ରରେ ବିରୋଧୀ ଏକନାଥ ସିନ୍ଦେ ସରକାରଙ୍କ ଉପରେ ଟାର୍ଗେଟ କରିଆସୁଥିଲେ। କୁହାଯାଉଛି ବିରୋଧୀଙ୍କ ସମାଲୋଚନାରୁ ବର୍ତ୍ତିବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଏହି ପ୍ରସ୍ତାବ ଆଣିବାକୁ ପଡ଼ିଲା। ଯାହାଦ୍ବାରା କର୍ଣ୍ଣାଟକର ବେଲଗାବୀ ଜିଲ୍ଲାର ଅଂଶ ଥିବା ଗ୍ରାମ ଏବଂ କିଛି ଛୋଟ ସହରକୁ ମହାରାଷ୍ଟ୍ରରେ ସାମିଲ୍ କରିବା କଥା କୁହାଯାଇଛି।

ସୂଚନାଥାଉ, ଏହି ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା କର୍ଣ୍ଣାଟକର ବେଲଗାବୀ ଯିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କୁ ଗିରଫ କାରଯାଇଥିଲା। ବିରୋଧୀଙ୍କ ହଙ୍ଗାମାକୁ ନେଇ ଜବାବ ଦେଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଥିଲେ ଯେ ସୀମାନ୍ତ ଅଞ୍ଚଳରେ ରହୁଥିବା ମରାଠୀ ଭାଷୀ ଲୋକଙ୍କ ସହ କୌଣସି ଅନ୍ୟାୟ ହେବାକୁ ଦେବୁନାହିଁ ଏବଂ ତାଙ୍କର ହକ୍ ପାଇଁ ଲଢ଼ିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.