ନୂଆଦିଲ୍ଲୀ ୨୩।୧୧: ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ଭୋଟ ଗଣତି ଜାରି । ପୋଷ୍ଟାଲ ବାଲଟ୍ ପରେ ଇଭିଏମ୍ କାଉଣ୍ଟିଂ ଜାରି ରହିଛି । ଧୀରେ ଧୀରେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରୁ ଏନଡିଏ ବହୁମତ ପାର୍ କରିଛି । ଏନଡିଏ ୧୫୩ ସିଟ୍ରୁ ଆଗରେ ରହିଛି । କଂଗ୍ରେସ ୯୬ଟି ସିଟ୍ରେ ଆଗକୁ ବଢୁଛି । ଝାଡ଼ଖଣ୍ଡରେ ଏନ୍ଡିଏ ୪୧ ସିଟ୍ରେ ଆଗରେ ଚାଲୁଛି । ଯେତେବେଳେ କି କଂଗ୍ରେସ ୩୧ ସିଟ୍ରେ ରହିଛି ।
ଝାଡ଼ଖଣ୍ଡର ମୋଟ୍ ୮୧ ଆସନରେ ନଭେମ୍ବର ୧୩ ଏବଂ ୨୦ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ସେହିପରି ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ରେ ଭୋଟ୍ ଗ୍ରହଣ କରାଯାଇଥିଲା । ମହାରାଷ୍ଟ୍ରରେ ୬୨.୦୫% ଭୋଟିଂ ହୋଇଥିବାବେଳେ ଝାଡ଼ଖଣ୍ଡରେ ୬୮.୦୧ ପ୍ରତିଶତ ମତଦାନ ହୋଇଥିଲା । ଏଥିସହ ୧୫ ରାଜ୍ୟର ୪୮ ବିଧାନସଭା ଆସନ ଏବଂ ୨ଟି ଲୋକସଭା ଆସନରେ ଦୁଇଟି ପର୍ଯ୍ୟାୟରେ ଉପନିର୍ବାଚନ ହୋଇଥିଲା ।
ସେଥିମଧ୍ୟରେ ପଞ୍ଜାବର ୪ ଏବଂ ୟୁପିର ୯ ବିଧାନସଭା ଆସନ, କେରଳର ୱାୟନାଡ଼ ଏବଂ ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନ ରହିଛି । ନିର୍ବାଚନ କମିଶନଙ୍କ ଅଫିସିଆଲ ୱେବସାଇଟରେ ସମସ୍ତ ତଥ୍ୟ ଅପ୍ଡେଟ୍ ରହିବ । ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକରେ ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।